ରାଜ୍ୟରେ୧୪ ଦିନିଆ ଆଂଶିକ ଲକ୍‌ଡାଉନ,

୧୭ ଜିଲ୍ଲା କଟାଗୋରୀ-‘ଏ୧୩ ଜିଲ୍ଲା କାଟାଗୋରୀ-‘ବି’

ଭୁବନେଶ୍ୱର: ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍ କଟକଣା ପୂର୍ବ ଅପେକ୍ଷା ଅଧିକ କୋହଳ ହୋଇଛି । କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ ଲାଗୁ କରାଯାଇଛି । ଏହା ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟ ସରକାର ଏହି ଆଂଶିକ ଲକଡାଉନକୁ ୨ଟି ବର୍ଗରେ ଭାଗ କରିଛନ୍ତି । ଏହା କାଟାଗୋରୀ-ଏ ଓ କାଟାଗୋରୀ-ବିରେ ଭାଗ କରାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ୧୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକରେ ଲକଡାଉନକୁ ଅଧିକ କୋହଳ କରିଛନ୍ତି । ଏହି ସବୁ ଜିଲ୍ଲାଗୁଡ଼ିକରେ ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ରାଜ୍ୟ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବା ପାଇଁ ଆଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଖୋଲା ରହିବ ।

ଟିକାକରଣ ଓ ନମୁନା ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ହସ୍‌ପିଟାଲ, ବ୍ୟାଙ୍କିଙ୍ଗ, କୃଷି କାର୍ଯ୍ୟ ଗତିବିଧି ଚାଲୁ ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ପରିଚାଳିତ ହେବ । ନିର୍ମାଣ କାର୍ଯ୍ୟ ଜାରି ରହିବ । ମିଠା ଦୋକାନ ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମର୍ଣ୍ଣିଂ ୱାକ, ଜଗିଂ କରିପାରିବେ । ରାତ୍ରୀକାଳୀନ ପୂର୍ବଭଳି ସବୁଦିନ ରହିବ । ସାପ୍ତାହାନ୍ତ ସଟଡାଉନ ପୂର୍ବଭଳି ରହିବ । ବିବାହ, ବ୍ରତ ଘର ଭୋଜି ପାଇଁ ପୂର୍ବରୁ ଯାହା କଟକଣା ଥିଲା, ତାହା ଜାରି ରହିବ । ରାଜନୈତିକ ସମାରୋହ ହୋଇପାରିବ ନାହିଁ । ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ ନୀତି ବନ୍ଦ ହେବ ନାହିଁ । କ୍ରୀଡ଼ାସ୍ଥଳ, ଜିମ, ସୁଇମିଂପୁଲ ବନ୍ଦ ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଚାଲିବ । ପାର୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ବସ୍ ଚଳାଚଳ କରିବ ନାହିଁ ।

ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ପୂର୍ବରୁ ଯାହା ୧୫ ପ୍ରତିଶତ ଥିଲା, ଏବେ ତାହା ୬ ପ୍ରତିଶତକୁ ହ୍ରାସ ପାଇଛି । ଏଥି ପାଇଁ ରାଜ୍ୟବାସୀ ବହୁ ସହଯୋଗ କରିଛନ୍ତି । ଓଡ଼ିଶାରେ କୋଭିଡ ପିକ୍‌ସ୍ତରରେ ଥିଲା । ଲୋକେ ସତର୍କ ରହିଲେ ଏହା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଗୁଡ଼ିକରେ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି ।ସୂଚନାଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ହେବା ପରେ ରାଜ୍ୟ ସରକାର ଗତ ମେ’ ମାସ ୫ ତାରିଖ ଠାରୁ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ । ୩ୟ ପର୍ଯ୍ୟାୟରେ ଲକ୍‌ଡାଉନ କଟକଣା ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଥିଲା । ସେହିପରି ୨ ଦିନିଆ ସପ୍ତାହାନ୍ତ ସଟ୍‌ଡାଉନ ମଧ୍ୟ ସାମିଲ ଥିଲା, ଯାହାକି ଏବେ ବି ଜାରି ରହିବ । ରାଜ୍ୟ ଲକ୍‌ଡାଉନ୍ ହେବାପରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା ।

Leave a Reply

Your email address will not be published. Required fields are marked *