ନୂଆଦିଲ୍ଲୀ : ଓଡ଼ିଶାରେ ଅମୃତ ଯୋଜନାର ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଜି ସାଂସଦ ସୁବାଷ ସିଂହ, ମହେଶ ସାହୁ ଓ ମମତା ମହନ୍ତ କେନ୍ଦ୍ର ନଗର ଉନ୍ନୟନ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଓଡିଶା ପାଇଁ ଦାବି ଜଣାଇଛନ୍ତି। ଓଡ଼ିଶାର ସହରଗୁଡ଼ିକର ଉନ୍ନତି ପାଇଁ ଓଡ଼ିଶା ସରକାର ଦେଇଥିବା ବର୍ଦ୍ଧିତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଅନୁମୋଦନ କରିବାକୁ ଏଥିରେ ଦାବି କରାଯାଇଛି । ଏହାର ବିଚାର କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସହରାଞ୍ଚଳରେ ଜଳ ଯୋଗାଣ, ସ୍ବେରେଜ୍, ପରିବହନ ବ୍ୟବସ୍ଥା, ପାର୍କ ଆଦି ପାଇଁ କେନ୍ଦ୍ର ସରକାର ଅମୃତ ଯୋଜନା କରିଛନ୍ତି । ଓଡ଼ିଶା ସରକାର ଏହି ଯୋଜନାର ମାନଦଣ୍ଡ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିଲେ ବି ଅର୍ଥ ବାଧକ ସାଜିଛି । ଏ ଦିଗରେ ସହାୟତା କରିବାକୁ ଓଡ଼ିଶା ସରକାର କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ସହରରେ ଥିବା ସ୍ବେରେଜ ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରାୟ ୩୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିବାକୁ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଇଛନ୍ତି । କିନ୍ତୁ ଏହି ପ୍ରସ୍ତାବଗୁଡ଼ିକ ଏବେ ବି କେନ୍ଦ୍ରର ବିଚାରାଧିନ ରହିଛି ।