ଓଡ଼ିଆ ସିନେଜଗତ ସ୍ତବ୍ଧ ବର୍ଷିଆନ୍ ଅଭିନେତା ମିହିର ଦାସଙ୍କ ପରଲୋକ ।

କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ଯୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଗତ ଡିସେମ୍ବର ୭ ତାରିଖରୁ ସ୍ବାସ୍ଥ୍ୟ ଖରାପ କାରଣରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।ଡାଏଲିସସ ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ।  ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଥିଲେ ।

ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା। ମିହିରଙ୍କ ପରଲୋକ ସମଗ୍ର ଫିଲ୍ମ ଜଗତର କଳାକାରଙ୍କ ସହିତ ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି ।ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ୍ ମିହିର ଦାସ ଅନେକ ଟିଭି କାର୍ୟ୍ୟକ୍ରମରେ ନଜର ଆସିଛନ୍ତି । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *