ସୁନ୍ଦରଗଡ଼ରେ ୪ ଅଲିମ୍ପିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୁନ୍ଦରଗଡ଼: ଭାରତୀୟ ହକି ଉଭୟ ପୁରୁଷ ଓ ମହିଳା ଦଳରେ ସୁନ୍ଦରଗଡ଼ ଚମକପ୍ରଦ ଅବଦାନ ସାରା ଓଡ଼ିଶାକୁ ଗୌରବାନ୍ବିତ କରିଛି। ତେଣୁ ଏହାର ନାମ ସୁନ୍ଦରଗଡ଼ରୁ ପରିବର୍ତ୍ତିତ ହୋଇ ହକି ଗଡ଼ ହେବା ଉଚିତ’। ଚାରି ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆଜି ସ୍ଥାନୀୟ ବିକାଶ ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉତ୍ସବାର ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହା କହିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଅତ୍ୟନ୍ତ ଭାବବିହ୍ବଳ ହୋଇ ‘ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ସ୍ବର୍ଣ୍ଣପଦକ ଜିତି ନଥିଲେ ବି ଆମ ଜିଲ୍ଲାବାସୀଙ୍କ ହୃଦୟରେ ଚାମ୍ପିଅନ୍ ହୋଇଛନ୍ତି’ ବୋଲି କହିଥିଲେ। ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୪ ହକି ତାରକା ନିଜ ଜୀବନ ସଂଘର୍ଷ ଓ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଥିଲେ। ଏହା ସହ ଜିଲ୍ଲା ପ୍ରଶାସନ ତଥା ସୁନ୍ଦରଗଡ଼ବାସୀଙ୍କ ଭଲପାଇବା ସେମାନଙ୍କୁ ଅଭିଭୂତ କରିଥିବା ପ୍ରକାଶ କରି ଆଗାମୀ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣପଦକ ନିଶ୍ଚୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେସମ୍ବର୍ଦ୍ଧନା ସଭାରେ ହକିର ଜୀବନ୍ତ କିମ୍ବଦନ୍ତୀ ପଦ୍ମଶ୍ରୀ ଡ. ଦିଲୀପ ତିର୍କୀ ଯୋଗ ଦେଇ ତାଙ୍କ ପଦକ ସ୍ବପ୍ନକୁ ଅମିତ ଓ ବୀରେନ୍ଦ୍ର ସାକାର କରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ସେ ମହିଳା ହକିର ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ। ଓଡ଼ିଶା ସରକାର ହକିର ପ୍ରୟୋଜକ ହୋଇ ଏହି ଖେଳର ବିକାଶ ପାଇଁ ବହୁବିଧ ଯୋଜନା କରିଥିବାରୁ ଡ. ତିର୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ।

ସଭାରେ ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା, ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକାମାନଙ୍କୁ ସ୍ମୃତିଫଳକ ଓ ଉପହାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *