
ଜୀବନର ପଣକିଆ ଘୋଷୁଘୋଷୁ
ପଣ ଭାଙ୍ଗି ଗଲା
ମିଶାଣ ଫେଡାଣର ପାଠ ସରିଛି କି ନାହିଁ
ଗୁଣନର ଆବଶ୍ୟକତାରେ
ହରଣର ପ୍ରାଦୁର୍ଭାବ
ମଣିଷକୁ ଅଣନିଃଶ୍ବାସୀ କରି
ଭାଗଶେଷ ରଖିଦେଇ ଗଲା ।।
ଜୀବନେ ଅନେକ ଶିକ୍ଷା
ମିଶାଣର ସଂଜ୍ଞା ନିଋପଣେ,
କାମ କ୍ରୋଧ ମୋହ ମାୟା
ବିଯୋଗର ସନ୍ନିଧାନେ ।
ପଣକିଆ ଗଣିତର ଗୁଣନଖନ୍ଦାରେ
ଗୁଣିହୁଏ ଅପଯଶ ଆଉ ଅପମାନ
ହରଣ କି ହରନ୍ତା ମୋ’ଦୁଃଖ
ଯାତନାରେ ଉବୁଟୁବୁ ଦହେ ଏ ପରାଣ ।।
କର୍ତ୍ତବ୍ୟ ବୋଧର ଅଙ୍କ ଲାଗେ ଆଜି
ଆହୁରି ଜଟିଳ
ଧର୍ମ ନାମେ ସବୁଠିତ ଦେଖ
କ୍ରୁରତାର ଦୁର୍ବୋଧ କୁଟିଳ
ଭାରୀ ପଲା ତଳକୁ ତଳକୁ
ଉର୍ଦ୍ଧ୍ବମୁଖୀ ଚଢେ ସିନା ସିଡି
ବୁଡିଯାଏ ଜୀବନର ଡଙ୍ଗା
ମୁହଁ ମାଡି ପଡେ ମୁଁ କଚାଡି ।।
ବଳ ନାହିଁ ବେଳ ନାହିଁ
ପ୍ରଯୋଜନ ନାହିଁ ପଣକିଆ,
ଗୁଣଫଳ ଯଦି ଦୁଃଖ
ଯାତନାର ଭାଗଶେଷ ଏକା ମୋ’କାମନା ।
ଜୀବନର ଅଙ୍କଯେବେ
ଅଙ୍କା ବଙ୍କା ହୁଏ,
କୁହ ବନ୍ଧୁ କେମିତି କଷିବି
ଭାଗଫଳ ଦୁଃଖନଦୀ ଟିଏ ।
ଏମିତି ମୁଁ ନାଉରୀଟେ ଦୁର୍ବଳ ମୋ’ କାତର ଆହୁଲା
ପଣକିଆ ଘୋଷୁଘୋଷୁ
ଉଡିଯାଉ ଜୀବନ ଧଜିଆ ।।
© ଚତୁର୍ଭୁଜ ସାହୁ । ଓସ୍କାପାଲି
ରାଜକିଶୋର ନଗର , ଅନୁଗୋଳ
ମୋ : ୭୯୭୮୬୯୪୫୧୬