ପ୍ରଦୂଷଣ କୁ ନେଇ ଊଦବେଗ:ଅନୁଗୋଳ ଜିଲ୍ଲାରେ ଖଣି କାରଖାନା ପ୍ରତିଷ୍ଠାରେ ରୋକ ଲଗାଇବାକୁ ଦାବି।

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଦିନକୁ ଦିନ ପ୍ରଦୂଷଣ ବଳୟ ଭିତରକୁ ଠେଲି ହୋଇ ଯାଊଛି। ଜିଲ୍ଲାର ମାଟି,ପାଣି,ପବନ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି।ଖଣି,କାରଖାନା ପ୍ରତିଷ୍ଠା ପାଇଁ ହଜାର ହଜାର ଏକର ଜଙ୍ଗଲ ସଫା କରି ଦିଆଯିବା ସହ ହଜାର ହଜାର ଏକରର ଚାଷ ଜମି,ଘରଦ୍ବାର ଊଜାଡି ଦିଆଯାଊଛି।ବିକାଶ ନାଁରେ ଜିଲ୍ଲାକୁ ବିନାଶ ଆଡକୁ ଟାଣି ନେଊଛି ବୋଲି ଆଜି ପୂର୍ବାହ୍ନରେ  ବାଜିରାଊତ ଛାତ୍ରାବାସଠାରେ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନ(ତାବା) ଦ୍ବାରା ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି।

   ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜିଲ୍ଲାବାସୀ ଆଜି ବିସ୍ଥାପନ ସମସ୍ୟାରେ ଊବୁଟୁବୁ । ଲୋକମାନେ ଖଣି,କାରଖାନାଯୋଗୁଁ ସେମାନେ ସେମାନଙ୍କର ସମସ୍ତ ଜମିବାଡି,ଘରଦ୍ବାର ହରାଇ ସର୍ବସ୍ବାନ୍ତ ହୋଇ ପଡିଥିଲାବେଳେ ଖଣି, କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଫଳରେ ପୁରା ବାୟୁମଣ୍ଡଳ ପ୍ରଦୂଷିତ ହୋଇ ପଡିଛି।ଭୂତଳ ଜଳରେ ଫ୍ଲୋରାଇଡ ଓ ନାଇଟ୍ରେଟର ପରିମାଣ ଅଧିକ। କାର୍ବନ ମୋନକସାଇଡଠାରୁ ଆରମ୍ଭ କରି,ସଲଫର ଡାଇ ଅକସାଇଡ ଭଳି ବିଭିନ୍ନ ମାରାତ୍ମକ ଗ୍ୟାସ ନିର୍ଗତ ହେବା ଫଳରେ ଜିଲ୍ଲାର ପୁରା ପରିବେଶ ପ୍ରଦୂଷିତ ହୋଇ ପଡିଛି।କଣିହାଁଠାରୁ ଆରମ୍ଭ କରି  ତାଳଚେର,ବଅଁରପାଳ,ଛେଣ୍ଡିପଦା ଓ ଅନୁଗୁଳର ଜନ ସାଧାରଣ ଧୂଳି,ଧୂଆଁ ଓ ପାଊଁଶରେ ଗୋଧୋଊଛନ୍ତି। ପ୍ରଦୂଷଣର ପ୍ରଭାବରେ ଜିଲ୍ଲାରେ ବିଶେଷ କରି ତାଳଚେର ଓ ଅନୁଗୁଳ ଶିଳ୍ପାଂଚଳରେ ହୃଦ ରୋଗ,ଚର୍ମ ରୋଗ,କ୍ୟାନସର,ପେଟ ଜନିତ ରୋଗ,ବ୍ରୋଙ୍କାଇଟସ ଓ କିଡନଜନିତ ରୋଗୀଙ୍କ ସଂଙ୍ଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଏଥିରେ ବହୁ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି।

     କଟକ,ଭୂବନେଶ୍ବରର ବିଭିନ୍ନ କର୍ପୋରେଟ ହସପିଟାଲ ଗୁଡିକରେ ଯେଊଁଠି ଦେଖିବ ଅନୁଗୁଳ ଜିଲ୍ଲାର ରୋଗୀଙ୍କ ସଂଙ୍ଖ୍ୟା ଅଧିକ। ଜିଲ୍ଲାରେ ଗଢିଊଠିଥିବା ଖଣି,ଶିଳ୍ପ,କାରଖାନାଗୁଡିକ ଯେଭଳିଭାବେ ସ୍ବାସ୍ଥ୍ୟ ସେବା ଯୋଗାଇବା କଥା ସେଭଳି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଊ ନାହିଁ।ସେହିଭଳି ସଂପୃକ୍ତ କଳକାରଖାନା ଯୋଗୁଁ ଜିଲ୍ଲାର ଜଳ ଊତ୍ସଗୁଡିକପ୍ରଦୂଷିତ ହୋଇ ବ୍ୟବହାରଯୋଗ୍ୟ ହୋଇ ପାରି ନଥିବାବେଳେ ଦୂଷିତ ପାଣି ସେବନ କରିବାକୁ ବାଧ୍ୟ ହେଊଛନ୍ତି।ଖଣି କିମ୍ବା ସଂପୃକ୍ତ ଶିଳ୍ପ,କାରଖାନା କର୍ତ୍ତୃପକ୍ଷ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନେଊ ନାହାଁନ୍ତି।


ସଂଗଠନର ଆବାହକ ଜଗଦାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ କ୍ରୀଷ୍ଣ୍ଣା ମହାନ୍ତି,ଆଇନଜିବୀ ବସନ୍ତ କୁମାର ଦାଶ,ପ୍ରଶ୍ନ କୁମାର ବେହେରା,ଦେବାଶୀଷ ପଟ୍ଟନାୟକ,ପର୍ଶୁରାମ ଦାଶ,ଅଜୟ ଭାଇ,ମାନସ କୁମାର ପାଲ,ଧନେଶ୍ବର ପ୍ରଧାନ,ସ୍ମୀତା ପଟ୍ଟନାୟକ,ସୂର୍ଯ୍ୟନାରାୟଣ ନାଥ,ବ୍ରହ୍ମଜୌତି ମିଶ୍ର,ତପନ ପ୍ରଧାନ,ପୂର୍ଣ୍ଣମାସୀ ରଥ,ସମରେଶ ନାଥ,,ମନୋଜ କୁମାର ଦେହୁରୀ,ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଆଗାମୀ ଦିନରେ ଜିଲ୍ଲାବାସୀଙ୍କୁ ସଟେତନ କରାଇବା ସହ ବ୍ୟାପକ ଆନ୍ଦୋଳନ ମାଧ୍ୟମରେ ସ୍ବରକୁ ଶାଣିତ କରିବାକୁ ମତ ପୋଷଣ କରିଥିଲେ।
ସମାଜ ସେବୀ କ୍ରୀଷ୍ଣ୍ଣା ମହାନ୍ତି ଜିଲ୍ଲାର ପରିବେଶ ପ୍ରଦୁଷଣ ନେଇ ଗଭୀର ଊଦବେଗ ପ୍ରକାଶ କରିବା ସହ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ସଂଗଠନର ଆବାହକ ଜଗଦାନନ୍ଦ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲାରେ ବର୍ତ୍ତମାନ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଆଊ ଏଠି ଜନସାଧାରଣ ବସବାସ କରିବା କଷ୍ଟକର ହେଲାଣି।ଲୋକମାନେ ଅଣ ନିଶ୍ବାସୀ ହୋଇଛନ୍ତି ବିଷାକ୍ତ ପାଣି,ପବନରେ। ଜିଲ୍ଲାରେ ବିଶେଷ କରି ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳରେ ଆଊ କୌଣସି ନୂତନ ପ୍ରକଳ୍ପ କିମ୍ବା ଖଣି ପ୍ରତିଷ୍ଠାକୁ ବିରୋଧ କରାଯିବା ସହ ଲୋକଙ୍କୁ ପ୍ରଦୂଷଣ ଦାଊରୁ ରକ୍ଷା କରିବା,ପ୍ରଦୂଷଣ ନିୟନ୍ତ୍ରଣ, ଊତ୍ତମ ସ୍ବାସ୍ଥ୍ୟ ସେବା,ପାନୀୟ ଜଳ ଯୋଗାଣ ପାଇଁ ଦାବି କରାଯାଇଛି।ଆଗାମୀ ଦିନରେ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନକୁ ଏକ ମାସ ମୋଭମେଣ୍ଟରେ ପରିଣତ କରାଯିବ ବୋଲି ଆବାହକ ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *