ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ । ଏଥିରେ, ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ମରଣିକା ଉନ୍ମୋଚନ କରିଛନ୍ତି।‘ହରେକୃଷ୍ଣ’ ମହାମନ୍ତ୍ର ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସନ୍ଥ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଆବିର୍ଭାବର ବର୍ଷପୂର୍ତ୍ତି ଉପଲକ୍ଷେ ଉତ୍ସବ ମୁଖର ହୋଇଛି ଶ୍ରୀକ୍ଷେତ୍ର। ଫୁଲ ଓ ସନ୍ଥ ଗୁରୁଙ୍କ ଫଟୋରେ ସଜେଇ ହୋଇଛି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ। ‌୩ ଦିନ ଧରି ଚାଲିବାକୁ ଥିବା ଏହି ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ରବିବାର ପୂର୍ବାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶରଧାବାଲିଠାରେ ଉଦ୍‌ଘାଟନ କରିଛନ୍ତି।

ଏନେଇ ରାଷ୍ଟ୍ରପତି ଦୁଇଦିନିଆ ପୁରୀ ଗସ୍ତରେ ଆସି ପହଞ୍ଚିସାରିଛନ୍ତି। ଗୌଡ଼ୀୟ ମଠ ବୁଲିବା ପରେ ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ରାଷ୍ଟ୍ରପତି ଉଦ୍‌ବୋଧନ ଦେବେ।ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କରିବା ପୂର୍ବରୁ ରା‌ଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯାଇଥିଲେ। ପୂର୍ବାହ୍ଣ ୧୦ଟା ୩୫ରେ ସେଠାରେ ପହଞ୍ଚିଥିଲେ। ସେଠାରେ ଥିବା ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଛନ୍ତି। ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ଜାଳିଛନ୍ତି। ତେଣୁ ମଠ ଓ ମନ୍ଦିର ପରିସରରେ ମହାମହିମଙ୍କୁ ସ୍ବାଗତ ଲାଗି ସୁନ୍ଦର ସାଜସଜା କରାଯାଇଛି। ଫୁଲ ସହ ବିଭିନ୍ନ ସନ୍ଥଙ୍କ ଫଟୋ ଚିତ୍ର ସଜାଇ ରଖାଯାଇଛି। ପୁଷ୍ପାଞ୍ଜଳି ଅର୍ପଣ ପରେ ଆପାତତଃ କିଛି ଶୁଖିଲା ପ୍ରସାଦ ରାଷ୍ଟ୍ରପତି ସେବନ କରିପାରନ୍ତି ବୋଲି ଶୁଦ୍ଧାଦ୍ବୈତୀ ମହାରାଜ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଆୟୋଜିତ ଏହି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବାକୁ ଆସିଥିଲେ ହେଁ ଏହି ମଠକୁ ଆସିବାରେ ସେ ଦ୍ବିତୀୟ ରାଷ୍ଟ୍ରପତି। ତାଙ୍କ ପୂର୍ବରୁ ୧୯୮୬ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜ‌ୈଲ ସିଂହ ‌ଏହି ମଠ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *