ରେଡ଼ିଓ ସର୍ବୋଦୟର ପ୍ରଥମ ବାର୍ଷିକୀ ଉତ୍ସବ ଉଦଯାପିତ

ଅନୁଗୋଳ : ଏକବିଂଶ ଶତାବ୍ଦୀର ଯୁବ ଗୋଷ୍ଠୀଙ୍କୁ ଯଦି ଆମେ ସମୁଚିତ ଭାବରେ ପରିଚାଳିତ ନକରିପାରିବା, ଭାରତ ଯେ ଭସ୍ମାସୁର ପାଲଟି ନଯିବ, ସେକଥା କେହି କହି ପାରିବେ ନାହିଁ . ଅନ୍ୟ ଦେଶମାନେ ସେଇଥିପାଇଁ ଗାନ୍ଧୀ ଦର୍ଶନକୁ ଆପଣେଇବା ପାଇଁ ପ୍ରୟାସ ଚଳାଇଛନ୍ତି . ଆଜି ଆମେରିକା ହାଭାର୍ଡ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସେ ଦେଶର ପିଲାଙ୍କୁ ଗାନ୍ଧୀ ପଢ଼ାଉଥିବା ବେଳେ, ଚୀନ ବେଜିଙ୍ଗ ୟୁନିଭରସିଟି ମାଧ୍ୟମରେ ମାଣ୍ଡାରିନ ଭାଷାରେ ଗାନ୍ଧୀ ଶିକ୍ଷା ଦେଉଛି. ଆପଲ କମ୍ପାନୀ ତାହାର ଲୋଗୋ ନିମନ୍ତେ ଯେଉଁ ବିଶ୍ଵବ୍ୟାପୀ ସର୍ଭେ କଲା, ସେଥିରେ ଗାନ୍ଧୀ ରୁହନ୍ତୁ ବୋଲି ସବୁଠାରୁ ଅଧିକ ମତ ମିଳିଲା . ଗାନ୍ଧିଜୀ ତାଙ୍କ ମୃତ୍ୟୁ ପୂର୍ବରୁ ଯେତେ ବଡ ନଥିଲେ, ବରଂ ତାଙ୍କ ମୃତ୍ୟୁ ପରେ ସେ ବେଶୀ ମହାନ ହୋଇଛନ୍ତି. ଦଲାଇଲାମା, ମାର୍ଟିନ ଲୁଥର କିଙ୍ଗ, ଆଇନଷ୍ଟାଇନ ଏପରିକି ଆଜି ଇରାନରେ ଜେଲରେ ରହିଥିବା ନୋବେଲ ବିଜେତା ନର୍ଗିସ ମେହମୁବି ମଧ୍ୟ ଗାନ୍ଧୀ ମାର୍ଗର ସମାଜ କଥା କହୁଛନ୍ତି . ଅନୁଗୋଳ ର ଯୁବଛାତ୍ର ମାନଙ୍କୁ ଗାନ୍ଧୀ ଶିକ୍ଷା ଦେବାପାଇଁ ରେଡ଼ିଓ ସର୍ବୋଦୟ ଏକ ବ୍ୟାପକ ପ୍ରୟାସ ଆରମ୍ଭ କରୁ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଖାରବେଳ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ.

ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅନୁଗୋଳ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଜିତ ଧଳ କହିଲେ ଯେ, ଅନୁଗୋଳ ସାମ୍ବାଦିକତା କ୍ଷେତ୍ରରେ ରେଡ଼ିଓ ସର୍ବୋଦୟର ଏକ ବିଶେଷ ଭୂମିକା ରହିଛି. ଏହା ମାଧ୍ୟମରେ ସମସ୍ତଙ୍କ ପାଇଁ ସରକାରୀ ଯୋଜନା ଗୁଡିକ ବାବଦରେ ଆମେ ଲୋକଙ୍କୁ ଜଣାଇ ପାରୁଛୁ . ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଗଠନ ସମ୍ପାଦକ ହରିହର ସେନ ଗାନ୍ଧୀ ବିଚାର ଚିର ଅମର ବୋଲି କହିଥିଲେ . ଏହି ଅଧିବେଶନକୁ ରେଡ଼ିଓର ନିର୍ଦ୍ଦେଶକ ଡା ବିଶ୍ୱଜିତ ସଂଯୋଜନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।


ଆଜିର ପ୍ରଥମ ଅଧିବେଶନରେ ଅନୁଗୋଳ ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାରେ ପରିବେଶବିତ ପ୍ରସନ୍ନ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଆଇନଜୀବୀ ବସନ୍ତ କୁମାର ଦାସ, ଦିଲ୍ଲୀପ କୁମାର ଦାସ, ପ୍ରଫେସର ନନ୍ଦକିଶୋର ମହାକୁଡ଼, ଆଇନଜୀବୀ ସୁଭାଷ ଚନ୍ଦ୍ର ସାହୁ ବକ୍ତବ୍ୟ ରଖିଥିଲେ.ଏଥିରେ ପର୍ଶୁରାମ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାନସ ପାଲ ଧନ୍ୟବାଦ ଅର୍ପଣ କରିଥିଲେ .

ଦ୍ଵିତୀୟ ଅଧିବେଶନରେ ବାଜି ରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ ଅଧ୍ୟକ୍ଷତା ଓ ସମ୍ପାଦକ ଇଂ ଧନେଶ୍ୱର ସାହୁ ସଂଚାଳନ କରିଥିଲେ ଓ ଆଦ୍ୟଶ୍ଲୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ . ଏହି ସଭାରେ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଅମ୍ବର ଲୁଗୁନ,ଅନୁଗୁଳ ସିଡିଏମଓ ଡ଼ ମଦନ ମୋହନ ପ୍ରଧାନ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ସତ୍ୟନାରାୟଣ ସାହୁ, ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ର ବନମାଳୀ ବାଗ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ ଧର ପ୍ରମୁଖ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ବିକାଶରେ ଅନୁଗୋଳ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ .ଅନୁଗୋଳ ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଠାରେ ସର୍ବୋଦୟ ସମ୍ମାନରେ ସମ୍ମାନିତ କରାଯାଇଥିଲା . ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ରେଡ଼ିଓ ପରିଚାଳନା ସମିତିର ସଭାପତି ଡ଼ ଧରଣୀଧର ନାଥ, ସମ୍ପାଦକ କଲ୍ୟାଣ କିଶୋର ମହାନ୍ତି, ଯୁଗ୍ମ ସମ୍ପାଦକ ସଂଗ୍ରାମ ରଞ୍ଜନ ନାଥ, ଲିପିକା ମହାପାତ୍ର, ସୁଜାତା ପ୍ରିତିନନ୍ଦା, କୈଳାଶ ଚନ୍ଦ୍ର ସାହୁ, ଛୋଟରାୟ ମାଝୀ, ସାରଣ ପ୍ରିୟଦର୍ଶିନୀ ପ୍ରମୁଖ ସଂଚାଳିତ କରିଥିଲେ .

Leave a Reply

Your email address will not be published. Required fields are marked *