ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି। ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମହିଳାଙ୍କ ଲାଗି ୫୦ ପ୍ରତିଶତ ଅର୍ଥାତ ୧୫ ସିଟ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି। ଅନୁଗୋଳ ସହିତ କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି ଜିଲ୍ଲାକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୩ଟି ଜିଲ୍ଲାକୁ ସଂରକ୍ଷିତ ରଖାଯାଇଛି ।
ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ଅନୁସାରେ, ଅଣ ସଂରକ୍ଷିତ ବର୍ଗରେ ୧୨, ପଛୁଆ ବର୍ଗରେ ୪, ଅନୁସୂଚିତ ଜାତି ବର୍ଗରେ ୪ ଓ ଅନୁସୂଚିତ ଜନଜାତି ବର୍ଗରେ ୧୦ ଟି ବ୍ୟବସ୍ଥା କରାଯାଇଛି । ସେହିପରି ତାହା ମଧ୍ୟରେ ଅଣ ସଂରକ୍ଷିତ ବର୍ଗରେ ୬ ଜଣ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଏହା ସହ ପଛୁଆ ବର୍ଗରେ ୨, ଅନୁସୂଚିତ ଜାତିରେ ୨, ଅନୁସୂଚିତ ଜନଜାତି ବର୍ଗରେ ୫ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି ।ଅନୁଗୁଳ ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, କଟକ ଜିଲ୍ଲା ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ, କନ୍ଧମାଳ ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, କଳାହାଣ୍ଡି ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, କେନ୍ଦୁଝର ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିବ। କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଂଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ପୁରୀ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିବ।