ଅନୁଗୋଳ: JSPL ର ଉତ୍କଳ B1, B2, ଏବଂ C କୋଇଲା ଖଣି ପାଇଁ ଦ୍ଵିତୀୟ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି) ଏବଂ ଜେଏସପି ଶିଳ୍ପ ପାଇଁ ସପ୍ତମ ଆପିଡିଏସି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କ ଉପସ୍ଥିତିରେ ଅନୁଗୋଳ ସର୍କିଟ ହାଉସରେ ବସିଥିବା ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନୁଗୋଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଅବଦାଲ ଏମ ଅଖତର, ପୋଲିସ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ, ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର, ଉପଜିଲ୍ଲାପାଳ ଶ୍ରୀ ବରେନ୍ଦୁ ମହାନ୍ତି, ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
ସେହିପରି ଅନ୍ୟମାନଙ୍କ ଅଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ବବିତା ପ୍ରଧାନ, ଛେଣ୍ଡିପଦା ବ୍ଲକ ଅଧକ୍ଷା ସୁମିତ୍ରା ସାହୁ, ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତିନିଧି ଏବଂ ଜେଏସପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ଲୋକେସନ ହେଡ୍ ଶ୍ରୀ ପଙ୍କଜ ମାଲହାନ୍ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଶାନ୍ତିପୂର୍ଣ୍ଣ ଏବଂ ସହଯୋଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ଏହି ବୈଠକରେ ଜେଏସପିର କୋଇଲା ଖଣି ଓ ଶିଳ୍ପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା |
ବୈଠକରେ ଯୋଗ ଦେଇଥିବା ପାରିପାର୍ଶ୍ୱିକ ଗ୍ରାମଗୁଡିକର ପ୍ରତିନିଧି ମାନେ ଜେଏସପିର ଖଣି ଏବଂ ଶିଳ୍ପ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଥଇଥାନ ପଦକ୍ଷେପକୁ ଶୀଘ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ ।
2030 ସୁଦ୍ଧା ଜେଏସପିର ଏହି ଇସ୍ପାତ କାରଖାନାକୁ ବିଶ୍ୱର ସର୍ବ ବୃହତ ଏକକ ଅବସ୍ଥାପିତ ଇସ୍ପାତ କାରଖାନାରେ ପରିଣତ କରିବା ଏବଂ ସ୍ଥାୟୀଭିତ୍ତିରେ ସ୍ଥାନୀୟ ସମୃଦ୍ଧି ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଜେଏସପି ପକ୍ଷରୁ ସ୍ଥାନୀୟ ସମ୍ପ୍ରଦାୟର ସମ୍ପୂର୍ଣ୍ଣ ସହଯୋଗ ମାଗାଯାଇଥିଲା |
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରର ସାଂସଦ ଭାବେ ଆରପିଡିଏସିରେ ଅଂଶଗ୍ରହଣ କରିଥିଲେ | ସେ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ ଅଧିକାରୀମାନଙ୍କୁ ନିରନ୍ତର ସଂଳାପ ଏବଂ ସର୍ବସମ୍ମତି କ୍ରମେ ବିକାଶମୂଳକ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ |

“ଶିଳ୍ପ ନେତୃତ୍ୱରେ ସାମାଜିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଜେଏସପିକୁ ନିରନ୍ତର ସମର୍ଥନ କରିଥିବାରୁ ଆମେ ଅନୁଗୁଳବାସୀଙ୍କ ଠାରେ କୃତଜ୍ଞ। ଏହି ଅଂଚଳର ଅନ୍ତର୍ଭୂକ୍ତ ବିକାଶ ପାଇଁ ଆମେ ସ୍ଥାନୀୟ ଲୋକ ଏବଂ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ କରିବାକୁ ପ୍ରତିଶୃତିବଦ୍ଧ” ବୋଲି ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମାଲହାନ୍ କହିଥିଲେ। ସେହିପରି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କୁ ଧନ୍ୟବାଦ ଦେବାସହ ଆସନ୍ତାକାଲିର ଅନୁଗୁଳ ଓ ଓଡିଶା ନିର୍ମାଣ ପାଇଁ ତାଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିଥିଲେ ।