ମନ ମୋହୁଛି ଗ୍ରାମୀଣ ଉଦ୍ୟାନ। ଭଳିକି ଭଳି ଫୁଲର ସମ୍ଭାର। ପାଚେରୀ କାନ୍ଥରେ ରଙ୍ଗ ବେରଙ୍ଗ ଚିତ୍ରର ସମାରୋହ। ଚାରିଆଡେ ସବୁଜ ବନାନୀ। ଏସବୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେଣୁ ଏଠାକୁ ଦୂର ଦୁରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ଏଭଳି ଏକ ସୁନ୍ଦର ଏବଂ ମନୋରମ ଉଦ୍ୟାନ ଦେଖିବାକୁ ମିଳେ ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ।
ବାରଗୌଣିଆ ପଞ୍ଚାୟତର ପ୍ରସିଦ୍ଧ ଠାକୁରାଣୀ ମା ପାଣ୍ଡୁରୁଶୁଣୀଙ୍କ ପୀଠ। ମାଙ୍କ ନାଁ ଅନୁସାରେ ସେଠାରେ ଥିବା ସଂରକ୍ଷିତ ଜଙ୍ଗଲକୁ ପାଣ୍ଡୁରୁଶୁଣୀ ସଂରକ୍ଷିତ ଜଙ୍ଗଲ ନାମରେ ନାମିତ କରାଯାଇଛି। ଚାରିଆଡେ ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ଓ ଜଙ୍ଗଲ। ମଝିରେ ମାଙ୍କ ପୀଠ। ସେହି ସ୍ଥାନରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ କରିବାକୁ ପଞ୍ଚାୟତ ତରଫରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରା ଯାଇଥିଲା। ରାଜ୍ୟ ସରକାର ପ୍ରତ୍ୟକ ପଞ୍ଚାୟତରେ ଗ୍ରାମୀଣ ଉଦ୍ୟାନ କରିବାକୁ ନିଷ୍ପତ୍ତି ନେବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଲୋକଙ୍କ ଅନୁରୋଧକୁ ରକ୍ଷାକରି ସେଠାରେ ଉଦ୍ୟାନ ନିର୍ମାଣ କରିବାକୁ ସ୍ଥିର କଲା। ପ୍ରାୟ ସାଢ଼େ ୩ଏକର ଜାଗାରେ ନିର୍ମାଣ କରାଗଲା ଉଦ୍ୟାନ। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଯୋଗାଇ ଦିଆଗଲା। ଫଳରେ ଯେଉଁ ସ୍ଥାନଟି ଅପରିଷ୍କାର ହୋଇ ପଡି ରହିଥିଲା ସେହି ସ୍ଥାନରେ ଆଜି ଗଢି ଉଠିଛି ମନୋରମ ଉଦ୍ୟାନ। ଏଥିପାଇଁ ପ୍ରାୟ ୧ କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବର୍ତମାନ ଶତକଡା ୯୦ଭାଗ କାମ ଶେଷ ହୋଇ ଯାଇଛି। ଆଉ କେବଳ ସୁଇମିଙ୍ଗ ପୁଲ ଓ ଅନ୍ୟାନ୍ୟ ଅଳ୍ପ କିଛି କାମ ଚାଲୁ ରହିଛି। ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନେକ କିଛି କରାଯାଇଛି। ଫଳରେ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ମନ ଭରି ଉପଭୋଗ କରୁଛନ୍ତି।
ଏହି ଉଦ୍ୟାନରେ ସବୁ ବର୍ଗର ଲୋକଙ୍କ ମାନରଞ୍ଜନ ପାଇଁ ବ୍ୟବସ୍ଥା ରହିଛି। ଛୋଟ ପିଲା ମାନଙ୍କ ପାଇଁ ଭଳିକି ଭଳି ଖସଡ଼ା ଓ ଦୋଳି ଅଛି। ବୟସ୍କ ମାନଙ୍କ ପାଇଁ ସୁନ୍ଦର ମଣ୍ଡପ ଓ ସିମେଣ୍ଟ ଚୌକି ନିର୍ମାଣ କରାଯାଇଛି। ପରିବେଶ ପ୍ରେମୀଙ୍କ ପାଇଁ ରଙ୍ଗ ବେରଙ୍ଗ ଫୁଲ ଗଛ, ସୁନ୍ଦର ରଙ୍ଗୀନ ଗଛ ଏବଂ ବିଭିନ୍ନ ଔଷଧୀୟ ବୃକ୍ଷ ଲଗା ଯାଇଛି। ଏହାଛଡା ଏହି ଉଦ୍ୟାନକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲ ଆହୁରି ଶୋଭା ବଢ଼ାଉଛି। ସ୍ଥାନଟି ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ଆଖୁରେ5 ନଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ମାଁ ପାଣ୍ଡୁରୁ ଶୁଣୀଙ୍କ ସାନିଧ୍ୟ ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୌଭାଗ୍ୟ ଲାଭ କରନ୍ତି। ସେଥିପାଇଁ କେବଳ ଏହି ପଞ୍ଚାୟତ କାହିଁକି ଆଖ ପାଖ ଅଞ୍ଚଳର ବହୁ ଲୋକ ସେଠାକୁ ଯାଆନ୍ତି। ଏହି ଉଦ୍ୟାନର ସୌନ୍ଦର୍ଯ୍ୟ ଦେଖିବାକୁ ଓଡିଶା ମୁଖ୍ୟ ଶାସନ ସଚିବ ଆସିଥିଲା। ଜିଲାପାଳ ବାରମ୍ବାର ଏଠାକୁ ଆସି ଆହୁରି ଉନ୍ନତି କରିବାକୁ ପ୍ରତିଶୃତି ଦେଇଛନ୍ତି।
ନିଜ ଅଞ୍ଚଳରେ ଏଭଳି ଏକ ମନୋରମ ଉଦ୍ୟାନ ହୋଇଥିବାରୁ ପଞ୍ଚାୟତ ବାସୀ ବେସ ଖୁସି। ସେମାନଙ୍କ କହିବା କଥା ଏହାଦ୍ୱାରା ବାହାରେ ବାରଗୌଣିଆ ପଞ୍ଚାୟତର ସୁନାମ ବଢୁଛି। ସେଥିପାଇଁ ପଞ୍ଚାୟତ ବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।