ଅନୁଗୋଳ : ଆଜି ଅନୁଗୋଳ ରେଳ ଷ୍ଟେସନରୁ ଗଡ଼ିଛି ସମ୍ବଲପୁର- ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସ ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୋଳ ଦେଇ କଲିକତା ର ହାୱଡ଼ାକୁ ସଂଯୋଗ କରିବ। ଅନୁଗୋଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ ଫଳରେ ଅନୁଗୋଳବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗ ଦେଇ ସମ୍ବଲପୁର ଓ ଶାଲିମାର(କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ ଚାଲିବ। ଏହି ଅଞ୍ଚଳର ଯାତ୍ରୀଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ସେମାନଙ୍କୁ ଆଉ ଅନ୍ୟ ପରିବହନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ (୨୦୮୩୨/୨୦୮୩୧) ଆସନ୍ତା ଜାନୁଆରି ୩ରୁ ସମ୍ବଲପୁରରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୭ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଜାନୁଆରି ୪ରୁ ଶାଲିମାରରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତି ୯ଟା ୨୫ରେ ଛାଡ଼ିବ।
ଏହି ଅବସରରେ ଅନୁଗୋଳ ଲୋକୋ ସେଡ ଠାରେ 14 କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଉଦ୍ଘାଟନ କରିଥିଲେ | ଏହି ଲାଇନ ଏମସିଏଲ ବଳରାମ କୋଇଲା ଖଣିରୁ ରେଳ ଲାଇନ ମାଧ୍ୟମରେ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ | ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇବ ।
ଅନୁଗୋଳ ରେଲୱେ ଷ୍ଟେସନ ରେ ଆୟୋଜିତ ଉତ୍ସବ ରେ ଓଡିଶା ବିଧାନ ସଭାର ଉପ ବାଚସ୍ପତି ରଜନୀ କାନ୍ତ ସିଂ, ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |