ଧରାବତରଣ କଲେ ଜଗତ ଜନନୀ: ମଣ୍ଡପରେ ସପ୍ତମୀ ପୂଜା   

ଆରମ୍ଭ ହୋଇଛି ପାର୍ବଣ ପୂଜା। ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ମଣ୍ଡପ ଝଲସୁଥିବାବେଳେ ମା’ ଦୁର୍ଗାଙ୍କ ଧରାବତରଣ ପୂରା ପରିବେଶକୁ ଭକ୍ତିମୟ କରିଦେଇଛି। ପରମ୍ପରା ଅନୁଯାୟୀ ଶନିବାର ପୀଠେ ସପ୍ତମୀ ପୂଜା ସମ୍ପନ୍ନ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀପୂଜା ବିଳମ୍ବିତ ରାତିଯାଏ ଚାଲିଥିଲା। ମା’ଙ୍କର ବିଲ୍ବାଧିବାସ ସରିଥିବାବେଳେ ଆଜି ରବିବାର ସପ୍ତମୀରେ ଘଟପୂଜା, ଗଙ୍ଗା ପୂଜନ, ଘଟ ସ୍ଥାପନ, ନବ ପତ୍ରିକା ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ବିଶେଷ କରି ମା’ଙ୍କୁ ଚକ୍ଷୁଦାନ କରାଯାଇଛି ।

କୋଭିଡ୍‌ ପାଇଁ ୨ବର୍ଷ ମା’ଙ୍କ ପୂଜା କଟକଣାରେ ପାଳିତ ହୋଇଥିବାବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମା’ ପୂଜା ପାଉଛନ୍ତି । ତେଣୁ ପୂଜା ଆୟୋଜକ ଧୁମ୍‌ଧାମ୍‌ରେ ପୂଜା ପାଳନ ପାଇଁ ଆରମ୍ଭରୁ ପ୍ରତିଯୋଗିତାମୂଳକ ଭାବେ ପ୍ରସ୍ତୁତି କରିଥିଲେ। ବିଭିନ୍ନ ସ୍ଥାନରେ ମେଲୋଡି, ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନର ବ୍ୟବସ୍ଥା ହୋଇଥିବାବେଳେ ରାବଣପୋଡ଼ି ଓ ଭସାଣି ଉତ୍ସବ ମଧ୍ୟ ଆକର୍ଷଣୀୟ ହେବ। ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଦୁଇବର୍ଷ ପରେ ସୁଯୋଗ ମିଳୁଥିବାରୁ ଚଳିତ ବର୍ଷ ମଣ୍ଡପରେ ପ୍ରବଳ ଭିଡ଼ ହେବ। ତେବେ ଷଷ୍ଠୀରୁ ହିଁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରବଳ ଗହଳି ହେବ ବୋଲି ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା କହିଛନ୍ତି।

Leave a Reply

Your email address will not be published. Required fields are marked *