ରାତିପାହିଲେ ଶ୍ରୀଗୁଣ୍ଡିଚା ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥ

ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ଗଡ଼ିଛି ୩ ରଥ । ସିଂହଦ୍ୱାର ଅଭିମୁଖେ ଟଣାଯାଉଛି ରଥ । ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଗଡ଼ୁଛି ରଥ ।ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଉଭାଯାତ୍ରା ଦିନ ସକାଳ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ, ସାଢ଼େ ୧୨ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଅନୁମତି ମିଳିବ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ‌ସମ୍ପାଦନ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସଂଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅନ୍ୟପଟେ ଏହିଦିନ ତିନି ରଥ ସିଂହଦ୍ବାର ଚକଡ଼ାକୁ ବିଜେ କରିବେ। ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବା ପୂର୍ବରୁ ତିନି ରଥକୁ ଉତ୍ତରମୋଡ଼ ଦିଆଯିବ।

ଏହା ପୂର୍ବରୁ ରଥ ଆଜ୍ଞାମାଳ ବିଜେ କରିବ। ଭୋର ୪ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ‌ଗୋପାଳ ବଲ୍ଲଭ ଓ ସକାଳଧୂପ ପରେ ସକାଳ ୮ଟା ୪୫ରେ ରଥ ଆଜ୍ଞାମାଳ ବିଜେ କରିବ। ପରେ ଭୋଗମଣ୍ଡପ, ମଇଲମ-ବେଶ, ମଧ୍ୟାହ୍ନଧୂପ, ଦ୍ବିତୀୟ ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ସଂଧ୍ୟା ଆଳତି, ସନ୍ଧ୍ୟା ଧୂପ ସାଢ଼େ ୩ଟା ଭିତରେ ଶେଷ ହେବ। ଅପରାହ୍ଣ ୩ଟା ୪୦ରେ ଧ୍ବଜା ଆଜ୍ଞାମାଳ ବିଜେ କରିବ। ଅଙ୍କୁରାରୋପଣ, ତୃତୀୟ ଭୋଗମଣ୍ଡପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ‌ଭୋଗ ପରେ ସଂଧ୍ୟା ସାଢ଼େ ୬ଟାରେ ପହୁଡ଼ ଆଳତି ହେବ। ପରେ ରାତି ୭ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ରାତି ୮ଟାରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୮ଟାରୁ ସେନାପଟା ଲାଗି ଆରମ୍ଭ ହୋଇ ରାତି ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *