କରୋନାରେ ଚାଲିଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର, ଓଲିଉଡରେ ଖେଳିଗଲା ଶୋକର ଛାୟା ।

ଭୁବନେଶ୍ୱର : ନିରବି ଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ୨୯ଦିନ ଧରି ସଂଗ୍ରାମ କରିବା ପରେ ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା। ଓଲିଉଡ୍‌ର ଜଣେ ସଫଳ ଓ ଆଗଧାଡ଼ିର କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତପୁ ପ୍ରାୟ ‌‌ଦୁଇ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ଜଗତରେ ସକ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁରେ ଓଡ଼ିଶାର କଳା, ସଂସ୍କୃତି, ସଂଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisement

ଗତ ମେ’ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ତପୁ ସ୍ପର୍ଶ ହସ୍‌ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କରୋନା ମୁକ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ତାଙ୍କର ଫୁସ୍‌ଫୁସ୍‌ର ୭୫% ସଂକ୍ରମିତ ହୋଇଯାଇଥିଲା। ତେଣୁ ଚିକିତ୍ସା ପାଇଁ ଗତ କିଛି ଦିନ ହେଲା ସମ୍‌ ପ୍ରାଇଭେଟ୍‌ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ବାରମ୍ବାର ଉପର ତଳ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିଲା। ତାଙ୍କୁ ଉନ୍ନତ ଚିକିତ୍ସା ଲାଗି ଏକ ସ୍ବତନ୍ତ୍ର ଡାକ୍ତରୀ ଦଳକୁ ଦାୟିତ୍ବ ଦେବାକୁ ତାଙ୍କ ଭଉଣୀ ନିବେଦନ କରିଥିଲେ। ମାତ୍ର ଆଜି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

୧୯୮୫ ଜାନୁଆରି ୧୧ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିବା ତପୁ ୧୯୯୯ ମସିହାରୁ ସଙ୍ଗୀତ ଜଗତରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ପ୍ରଥମେ ‘କୁଳନନ୍ଦନ’ କଥାଚିତ୍ରରେ ମ‌ହାଶ୍ବେତାଙ୍କ ପାଇଁ କଣ୍ଠଦାନ କରିଥିବା ତପୁ ଚକ୍‌ଲେଟ୍‌, ମନ ମୋର ପ୍ରଜାପତି, ଲୋଫର୍, ମୋଷ୍ଟ ୱାଣ୍ଟେଡ୍‌, ତୁ ଥାଆ ମୁଁ ଯାଉଚି ରୁଷି, ଅଞ୍ଜଳି, ଓଁ ନମଃ ଶିବାୟ, ଏଇ ମିଳନ ଯୁଗ ଯୁଗର, ସ୍ୱୟଂସିଦ୍ଧା, ଭୁଲ୍ ବୁଝିବନି ମତେ, ପହିଲି ରଜ, ସଞ୍ଜୁ ଆଉ ସଞ୍ଜନା, ଦିଲ୍ ତ‌ତେ ଦେଇଚି, ତୋ’ ଆଖିରେ ମୁଁ , ଶୁଭ ବିବାହ, ଆଖି ପଲକରେ ତୁ, ମିତରେ ମିତ, ଲଭ୍ ଡଟ୍ କମ୍, କେଉଁ ଦୁନିଆରୁ ଆସିଲ ବନ୍ଧୁ, ରୋମିଓ- ଦ ଲଭର୍ ବୟ, ଆଇଲାରେ ଓଡ଼ିଆ ପୁଅ, ପ୍ରେମୀ ନଂ ୱାନ୍, ଡ୍ରିମ୍ ଗାର୍ଲ, ଆ’ରେ ସାଥି ଆ, ଆ’ ଜ‌ହ୍ନରେ ଲେଖିବା ନାଁ, ଧୀରେ ଧୀରେ ପ୍ରେମ ହେଲା, ପ୍ରେମ ରୋଗୀ, ନନ୍ଦିନୀ ଆଇ ଲଭ୍ ୟୁ, କଳିଙ୍ଗ ପୁତ୍ର, ବନ୍ଦେ ଉତ୍କଳ ଜନନୀ ଭଳି ୫୦ରୁ ଅଧିକ ଚଳଚ୍ଚିତ୍ରରେ ଶହଶହ ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିଣି ପାରିଥିଲେ। ଫଗୁଣରେ ଫଗୁଣ, ଦିନ ସରେ ନାହିଁ, ନୂଆ ନୂଆ ପ୍ରେମ, ମା ଦେଇଥିଲା କଜଳ ଗାର, ଶାଶୂଘର ଚାଲିଯିବି, ମୁଁ ତୁମକୁ ଭଲପାଏ, ହାଏରେ ହାଏ ତୋର ଚେହେରା…, ପ୍ରେମ ଚଢ଼େଇ…ଭଳି ବହୁ ହିଟ୍‌ ଗୀତ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା। ଏହା ବ୍ୟତୀତ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ସେ ବିଚାରକ ଭାବେ ମଧ୍ୟ କାର୍ଯ୍ୟ କରି ଲୋକପ୍ରିୟତା ସାଉଁଟିଥିଲେ। ୨୦୧୮ରେ ପଶ୍ଚିମ ଓଡ଼ିଶାର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ ଦୀପକ ପୂଜାରୀଙ୍କୁ ବିବାହ କରିଥିଲେ।

ତପୁ ଗୁରୁତର ହେବା ଖବର ଶୁଣିବାପରେ ଚିକିତ୍ସା ପାଇଁ ତାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଆଗକୁ ତାଙ୍କର ଇକ୍‌ମୋ ଚିକିତ୍ସା ପାଇଁ ପରିବାର ସଦସ୍ୟ ଯୋଜନା କରୁଥିବାବେଳେ ହଠାତ୍ ତପୁଙ୍କର ପରଲୋକ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ମହାଶ୍ବେତା ରାୟ, ଅପରାଜିତା, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, କୁନା ତ୍ରିପାଠୀ, ଅନୁଭବ, ସବ୍ୟସାଚୀ, ବାବୁସାନ, ଅରିନ୍ଦମ୍‌, ପପୁ ପମ୍‌ପମ୍‌, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ଏଲିନା, ଜିନା, ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ, ମଳୟ ମିଶ୍ର, ଅଭିଜିତ ମଜୁମଦାର, ପ୍ରଶାନ୍ତ ପାଢ଼ୀ, ଗୁଡ୍‌ଲି ରଥ, କଣ୍ଠଶିଳ୍ପୀ ଇରା ମହାନ୍ତି, ଶୈଳଭାମା, ବିଭୁକିଶୋର, ପମି, ହ୍ୟୁମାନ ସାଗର, ଟି ସୌରୀ, କୁମାର ବାପି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *