ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀ ଅପରେସନ୍ ଅଫିସ୍ ଓ କଣ୍ଟ୍ରୋଲ୍ ରୁମ୍ ଖୋଲା ରଖିବାକୁ କୁହାଯାଇଛି ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବି ଏହି ଚିଠିରେ ନିର୍ଦ୍ଦେଶ ରହିଛି। ନିରାପଦ ସ୍କୁଲରେ ଲୋକଙ୍କୁ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି।

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଏହା ବାତ୍ୟାର ରୂପ ନେବ। ବାତ୍ୟା ଏବେ କେଉଁଠି ସ୍ଥଳଭାଗକୁ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ହେଁ ବିଭିନ୍ନ ପାଣିପାଗ ମଡେଲ୍ର ପୂର୍ବାନୁମାନ ଅନୁଯାୟୀ ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ମୁଖ୍ୟ ସଚିବ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବାକୁ ଥିବାରୁ ଏହାକୁ ନଜରରେ ସମସ୍ତ ପ୍ରସ୍ତୁତି ହେବ।

Leave a Reply

Your email address will not be published. Required fields are marked *