ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାକୁ କୁହୁଡ଼ି ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ , ଢ଼େଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଆଦି ରହିଛି। ଏଥିସହିତ ଦକ୍ଷିଣ ଉପକୂଳ ଓଡ଼ିଶା, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଜଗତସିଂହପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଜାନୁଆରି ୨୬ରୁ ୨୭ ତାରିଖ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଧା, ପୁରୀ, ନୟାଗଡ଼, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଜାନୁଆରି ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ଶୀତ ଲହରି ପ୍ରଭାବିତ ହେବ। ସେଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜାନୁଆରି ୨୮ରୁ ୨୯ ତାରିଖ ମଧ୍ୟରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ସମେତ ୨୯ରୁ ୩୦ ତାରିଖ ମଧ୍ୟରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଆଦି ଜିଲ୍ଲାରେ ଶୀତ ଲହରି ପ୍ରଭାବିତ ହେବ।