ଅନୁଗୋଳ: ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ (ବରିଷ୍ଠ) ଚମ୍ପିଆନସିପ୍ ସୋମବାର ଅପରାହ୍ନରେ ଅନୁଗୋଳ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଉଦଘାଟନ କରିବା ସହ ଏହି ଖେଳରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରିବାକୁ ଆହ୍ବାନ କରିଥିଲେ । ଭଲ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇ ଅନୁଗୋଳ ଜିଲ୍ଲାରେ ଖୋ-ଖୋ ଖେଳ ଆୟୋଜନ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କ୍ରୀଡାକୁ ଅଧିକ ଗୁରୁତ୍ବ ଓ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଭଲ ଖେଳ ପ୍ରଦର୍ଶନ କରି ଜଣେ ଶ୍ରେଷ୍ଠ କ୍ରୀଡାବୀତ୍ ହେବାକୁ ପରାମର୍ଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଆୟୋଜିତ ସଭାରେ ସଭାପତିତ୍ବ କରି ରାଜ୍ୟ ସରକାରଂକୁ ଏପରି ଏକ ମର୍ଯ୍ୟଦାଜନକ କ୍ରୀଡା ଆୟୋଜନ କରିବାର ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ ।
ପ୍ରତିଯୋଗିତା ଆୟୋଜନର ସମସ୍ତ ପ୍ରକାର ଆନୁସଂଗୀକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି । ପ୍ରତିଯୋଗିତା ମନୋଭାବ ନେଇ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି ନିଜ ନିଜ ଜିଲ୍ଲାର ସୁନାମ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍ ଯୋଗ ଦେଇ ସମ୍ପ୍ରତି କୋଭିଡର କଡା କଟକଣା ମଧ୍ୟରେ ଏଭଳି ଏକ ରାଜ୍ୟ ସ୍ତରୀୟ କ୍ରୀଡା ଆୟୋଜନ କରିବା ଆମ ପାଇଁ ଏକ ବିରାଟ ଆହ୍ବାନ ଓ ପ୍ରୟାସ ଥିଲା ବୋଲି ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସ୍ବାଗତ ଅଭିଭାଷଣ ଦେବା ସହ ଶେଷରେ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥ୍ ଭାବେ ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ ଖେଳର ଆୟୋଜନକୁ ନେଇ ଖୁସି ପ୍ରକଟ କରିଥିଲେ । ଏହିଠାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ । ରାଜ୍ୟ ସ୍ତରୀୟ କ୍ରୀଡାରେ ୨୨ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଛନ୍ତି । ଏହାଛଡ଼ା ରାଜ୍ୟ ସ୍ତରରୁ ୫୦ ଜଣ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରରୁ ୬୦ ଜଣ କର୍ମକର୍ତ୍ତା ଓ ସ୍ବେଛସେବୀ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଛନ୍ତି ।
କ୍ରୀଡା ଶପଥ ପାଠ ପ୍ରତିକ୍ଷା ପରିଡା କରିଥିବା ବେଳେ ଆନ୍ତର୍ଜାତୀୟ ଖେଳାଳୀ ବାଲେଶ୍ବରର ସତ୍ୟଜିତ୍ ସିଂହ ,ଜଗତସିଂହପୁରର ସସ୍ମିତାନାଥ ଶର୍ମା ଓ କିଟ୍ ବିଶ୍ବବିଦ୍ୟାଳୟର ମନ୍ଦାକିନି ମାଝି ଏହି କ୍ରୀଡାରେ ଯୋଗଦାନ କରିଥିଲେ । ଚଳିତ ମାସ ୧୫ ତାରିଖ ଦିନ ଉଦଯାପନି ଦିବସ ଅନୁଷ୍ଠିତ ହେବ । ଏହାଛଡା ଏହି କ୍ରୀଡା ଆୟୋଜନରେ ଜିଲ୍ଲା ଶାରିରିକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସିହ୍ନା, ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ ଭିକାରୀବନ୍ଧୁ ସାହୁ, ଭବାନି ଶଂକର ମିଶ୍ର ବିରେନ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥ୍ ଲେ ।