ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଶିଳ୍ପ ଓ କୋଇଲା ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ପରିବେଶ ପ୍ରଦୂଷଣକୁ ଯୁଦ୍ଧକାଳୀନ ଭିତ୍ତିରେ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା,ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା,ଖଣି ଓ କାରଖାନା ପ୍ରତିଷ୍ଠା ପାଇଁ ଜଙ୍ଗଲ କାଟିବା ବନ୍ଦ କରିବା,ଊର୍ବର ଚାଷ ଜମି ଅଧିଗ୍ରହଣ ବନ୍ଦ କରିବା,ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା,ଜିଲ୍ଲାବାସୀଙ୍କୁ ଊନ୍ନତମାନର ତଥା ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା,ଅଗ୍ରାଧିକାର ଭିତ୍ତିରେ ବିସ୍ଥାପିତ,କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଂଚଳର ଯୁବକ,ଯୁବତୀମାନଙ୍କୁ ସ୍ଥାନୀୟ ଖଣି,କାରଖାନାରେ ସ୍ଥାୟୀ ନିଯୁକ୍ତି ଦେବା ଏବଂ ଜିଲ୍ଲାର ପ୍ରାକୃତିକ ସଂପଦକୁ ଧ୍ବଂସ କରି ନିଯୁକ୍ତି ବିହୀନ ଖଣି,କାରଖାନା ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିବା ଆଦି ଦାବିରେ ତାଳଚେର –ଅନୁଗୋଳ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେଏକ ଧାରଣା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଏକ ପ୍ରତିନିଧି ଦଳ ମୁଖ୍ୟ ମନ୍ତ୍ରୀଙ୍କ ଊଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଛି।ପ୍ରଖ୍ୟାତ ସମାଜସେବୀ ତଥା ଗାନ୍ଧିବାଦୀ କ୍ରିଷ୍ଣ୍ଣା ମହାନ୍ତି କହିଛନ୍ତି ଛେଣ୍ଡିପଦା ଅଂଚଳରେ ପ୍ରତି ଦିନ କୋଇଲା ଖଣି ପାଇଁ ଗଛ କଟା ଚାଲିଛି।ଆଗାମୀ ଦିନରେ ପ୍ରାୟ ଏକ କୋଟି ଗଛ କୋଇଲା ଖଣି ପାଇଁ କଟାଯିବ। ଏଭଳି ଗଛ କଟା ହେଲେ ଆମ ପରିବେଶ ସନ୍ତୁଳନ ସଂପୂର୍ଣ୍ଣ ବିଗିଡି ଯିବା ସହ ଅନୁଗୁଳରେ ଭୟଙ୍କରଭାବରେ ପରିବେଶ ପ୍ରଦୂଷଣ ହେବ ବୋଲି ସେ କହିଛନ୍ତି।

ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନ ଆବାହକ ଜଗଦାନନ୍ଦ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାରୀ ନେତ୍ରୀ କ୍ରିଷ୍ଣ୍ଣା ମହାନ୍ତିଙ୍କ ସମେତ ଜୟସେନ ମେହେର,ରୀତାରାଣୀ ଦାସ,ଦେବାଶୀଷ ପଟ୍ଟନାୟକ,ପ୍ରବୀଣ କୁମାର ଦାସ,ସଚୀନ କୁମାର ଦାସ, ଅଜୟ ନାଏକ, ପର୍ଶୁରାମ ଦାଶ,ବ୍ରହ୍ମଜୌତି ମିଶ୍ର,ମାନସ ପାଳ,ସୂର୍ଯ୍ୟ କୁମାର ନାଥ,ରାଜେନ୍ଦ୍ର ପ୍ରଧାନ,ମୋତି ଲାଲ ଆର୍ଯ୍ୟ ,ସୁଶାନ୍ତ ସାହୁ ପ୍ରମୁଖ ଅନେକ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ।

ଆଗାମୀ ଦିନରେ ଜିଲ୍ଲାବାସୀଙ୍କୁ ସଚେତନ କରାଇ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବକ୍ତାମାନେ କହିଛନ୍ତି।ଜିଲ୍ଲାରେ ବିଶେଷ କରି ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳରେ ପ୍ରଦୂଷଣର ଶିକାର ହୋଇ ଲୋକମାନେ ଯେଭଳି ମୃତ୍ୟୁମୁଖରେ ପଡିଲେଣି ଏହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ସେହିଭଳି ଶିଳ୍ପ,ଖଣି,କାରଖାନା ଯୋଗୁଁ ଜିଲ୍ଲାରେ ଯେଭଳି ଜଙ୍ଗଲ ଧ୍ବଂସ ହେବା ସହ ଊର୍ବର ଚାଷ ଜମି ନଷ୍ଟ ହେବାରେ ଲାଗିଛି ଜିଲ୍ଲାରେ ଆଊ ବସବାସ କରିବା କଷ୍ଟକର ହେଲାଣି।ତେଣୁ ଆଗାମୀ ଦିନରେ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନକୁ ଜିଲ୍ଲା ବ୍ୟାପି ଗଢି ତୋଳିବାକୁ ନିଷ୍ପତ୍ତି ନିଆଯାଇଥିବା ଆବାହକ ଶ୍ରୀ ପ୍ରଧାନ କହିଛନ୍ତି।