ଖୁବ ଶୀଘ୍ର ଅଗ୍ରଗତିହେବ ନିର୍ମାଣଧୀନ ତାଳଚେର ସାରକାରଖାନା । ଋଣ ମଞ୍ଜୁରୀ ପରେ ପ୍ଳାଣ୍ଟ ପରିଦର୍ଶନ ରେ ଆସିଲେ ପରିଚାଳନା ନିର୍ଦ୍ଦେଶକ ।

ଅନୁଗୋଳ: ତାଳଚେର ସ୍ଥିତ ଦେଶର ପ୍ରଥମ କୋଲ ଗ୍ୟାସିପିକେଶନରୁ ୟୁରିଆ ଉତ୍ପାଦନ ପ୍ଲାଣ୍ଟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିବ। କରୋନା  କଟକଣା ଏବଂ ଚାଇନା ଭାରତ ବିବାଦ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସାମାନ୍ୟ ଧିମେଇ ଯାଇଥିଲା। ଏହାଛଡା ଅର୍ଥିକ ସ୍ଥିତି ମଧ୍ୟ ନିର୍ମାଣ ପାଇଁ ଏକ ସମସ୍ୟା ଭାବେ ଛିଡା ହୋଇଥିଲା। କିନ୍ତୁ ଭାରତ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଯୋଗୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ଗୁଡିକ ପ୍ଲାଣ୍ଟ ନିର୍ମାଣ ପାଇଁ ୯,୫୬୦କୋଟି ଟଙ୍କା ଋଣ ମଞ୍ଜୁରୀ କରିବା ପରେ ଆଶା ଉଜିବିତ ହୋଇଛି।

ତାଳଚେର ଠାରେ ଗତ ୨୦୧୯ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ସାର କାରଖାନାର ଶୁଭାରମ୍ଭ କରିଥିଲେ। କୋଇଲାରୁ ଗ୍ୟାସ ପ୍ରସ୍ତୁତ କରି ସେଥିରୁ ଅମୋନିଆ ୟୁରିଆ ସାର ଉତ୍ପାଦନ କରିବାରେ ଏହି କାରଖାନା ଦେଶର ସର୍ବ ପ୍ରଥମ । କାରଖାର ବ୍ୟୟ ଅଟକଳ ୧୩,୨୭୭.୨୧କୋଟି ରଖା ଯାଇଥିଲା। ଚୀନର ଉହାନ ଇଞ୍ଜିନିରିଂ ସଂସ୍ଥାକୁ କାରଖାନାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। କାରଖାନା ନିର୍ମାଣ ୪ବର୍ଷ ଅର୍ଥାତ ଆସନ୍ତା ୨୦୨୩ରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ତେବେ ଗତ ଦୁଇ ବର୍ଷ ହେଲା କରୋନା ପରିସ୍ଥିତି ଏବଂ ଚୀନ-ଭାରତ ବିବାଦ ଯୋଗୁଁ  ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଏହାଛଡା ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟାପନ୍ନ ହୋଇ ପଡ଼ିଥିଲା। କିନ୍ତୁ ଯେମିତି ହେଲେ ଏଠାରେ କାରଖାନା ନିର୍ମାଣ ପାଇଁ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଜାରି ରହିଥିଲା। ଫଳରେ ଭାରତ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକରେ ବିଭିନ୍ନ ବ୍ୟାଙ୍କ ଋଣ ଜରିଆରେ ଅର୍ଥ ବିନିଯୋଗ କରି କାରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ସହ ଗତ କାଲି ବୁଝାମଣା ସ୍ବାକ୍ଷର ହୋଇଛି। ପ୍ରାୟ ୯୫୬୦ କୋଟି ଟଙ୍କା ଖୁବ ଶୀଘ୍ର ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ସ୍ଥିର କରିଛି। ଆଜି କାରଖାନା ପରିଦର୍ଶନରେ ଆସିଥିବା ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ ଏହୂ ସୂଚନା ଦେଇଛନ୍ତି। ତେଣୁ କୌଣସି ପ୍ରକାର ଆର୍ଥିକ ଅସୁବିଧା ଆଉ ରହିବ ନାହିଁ। ଚୀନର ଉହାନ ସଂସ୍ଥାର ଅଧିକାରୀମାନେ ମଧ୍ୟ ଏଠାରେ ପହଞ୍ଚି ସାରିଛନ୍ତି। ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ନିର୍ମାଣ ପାଇଁ ଅନ୍ୟ ଠିକା ସଂସ୍ଥା ଗୁଡିକୁ ଖୁବ ଶୀଘ୍ର ଉହାନ ନିଯୋଜିତ କରିବାକୁ ସଜବାଜ ହେଉଛି। ତେଣୁ ସ୍ଥାନୀୟ ଲୋକଙ୍କ ସଗାଯୋଗ ଆବଶ୍ୟକ ବୋଲି ପରିଚାଳନା ନିର୍ଦେଶକ କହିଛନ୍ତି।

ଆର୍ଥିକ ମଞ୍ଜୁରୀ ପରେ ଆଜି ପରିଚାଳନା ନିର୍ଦେଶଙ୍କ ପ୍ରଥମ କାରଖାନା ପରିଦର୍ଶନ ଥିଲା। ତାଙ୍କ ସହ ଡ଼ାଇରେକ୍ଟର ଅପରେସନ ସଞ୍ଜୟ ଆରୋରା, ଡ଼ାଇରେକ୍ଟର ଫାଇନାନ୍ସ ଅଭିଜିତ ଗୋସ୍ୱାମୀ, ଜିଏମ ପଞ୍ଚାନନ ହଳଧର, ସି ଆଇ ଏସ ଏଫ ଡ଼ିଆଇଜି ରସିଦ ଏବଂ କମାଣ୍ଡାଣ୍ଟ ବି.ସୁନ୍ଦରା ପ୍ରମୁଖ ଥିଲେ। କାରଖାନା ବୁଲି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଦେଖିଥିଲେ। ଏହାଛଡା ବିଭିନ୍ନ ଅଧିକାରୀ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଏହାଛଡା ଆଜି ଠାରୁ କାରଖାନାର ସୁରକ୍ଷା ଦାୟିତ୍ୱ ସିଆଇଏସ ଏଫକୁ ହସ୍ତାନ୍ତର କରିଥିଲେ। ଆଜି ୧୨୪ଜଣ ସୁରକ୍ଷା କର୍ମୀ ପ୍ରାଥମିକ ପର୍ଯ୍ୟାୟରେ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି କରାଗଲା। ବର୍ତମାନ କାରଖାନା ପାଇଁ ଆବଶ୍ୟକ ପାଣି, ବିଦ୍ୟୁତ, ରାସ୍ତା ଏବଂ ଟ୍ରକ ରହିବ ସ୍ଥାନ ସବୁ ନିର୍ମାଣ ଶେଷ ହୋଇଛି। ମୁଖ୍ୟ ପ୍ଲାଣ୍ଟର ମୂଳଦୁଆ ନିର୍ମାଣ ମଧ୍ୟ ସରିଛି। ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତେଣୁ ୨୦୨୩ରେ କାରଖାନା ନିର୍ମାଣ ଶେଷ କରିବାକୁ ଯେଉଁ ଲକ୍ଷ ରଖା ଯାଇଛି ସେହି ଲକ୍ଷ ନେଇ କାମ ଚାଲିଛି ।

ଏଭଳି ଏକ ଅତ୍ୟାଧୁନିକ ସାର କାରଖାନା ପରିବେଶ ଆଦୌ ପ୍ରଦୂଷିତ ହେବ ନାହିଁ। ଆବଶ୍ୟକ ଠାରୁ ଅଧିକ ଉନ୍ନତ ମାନର ସାର ଉତ୍ପାଦନ ହୋଇ ପାରିବ। ତେଣୁ ଏହି କାରଖାନା କେବଳ ଅନୁଗୁଳ କାହିଁକି ସାରା ଭାରତରେ ଚାଷୀ ମାନଙ୍କ ପାଇଁ ବରଦାନ ହୋଇ ପାରିବ।

Leave a Reply

Your email address will not be published. Required fields are marked *