ବଢ଼ିବ ତାତି : ମାର୍ଚ୍ଚ ପ୍ରଥମ ସପ୍ତାହରେ କେତେକ ସ୍ଥାନରେ ୪୦ରୁ ୪୨ ଡିଗ୍ରି ଛୁଇଁବ ତାପମାତ୍ରା

ଭୁବନେଶ୍ବର : ଆସନ୍ତା ୫ଦିନ ଯାଏ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ। ମାତ୍ର ସର୍ବୋଚ୍ଚ ତାପମାତ୍ରାରେ କିଛିଟା ପରିବର୍ତ୍ତନ ହେବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କ୍ରମଶଃ ଏହା ବୃଦ୍ଧି ପାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରି ମଧ୍ୟରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍‌‌ ଦର୍ଶାଉଛି। ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ। ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହେବ ବୋଲି ୟୁରୋପିଆନ ମଡେଲ୍‌‌ ଓ ଜିଏଫ୍‌‌ଏସ ମଡେଲ୍‌‌ର ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାମପାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି। ଏହାଦ୍ୱାରା ପୂର୍ବାପେକ୍ଷା ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ମାତ୍ର ଆସନ୍ତା ୨୭ ତାରିଖରୁ ତାପମାତ୍ରା ପୁଣି ଉପରମୁହାଁ ହେବ। ଫଳରେ ରାଜ୍ୟରେ ତାତି ଆହୁରି ବୃଦ୍ଧି ହେବ। ମାର୍ଚ୍ଚ ୩ରୁ ୪ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍‌‌ କରିବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *