ଭୁବନେଶ୍ଵର : ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ପରେ ଆଜି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ଵରରେ ପହଞ୍ଚିଛନ୍ତି ହଜାର ହଜାର ବିଜେଡି କର୍ମୀ । ଲୋକାଭିଡକୁ ନଜରରେ ରାଖୀ ଟ୍ରାଫିକ୍ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସାଂସଦ, ବିଧାୟକ ଓ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ପାରମ୍ପରିକ ବାଦ୍ୟ, ନୃତ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ଏହି କାର୍ଯ୍ୟକ୍ରମରେ ୫୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସୂଚନାନୁସରେ ରବିବାର ଦିନ ସ୍ବେଚ୍ଛାସେବୀ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀଠାରେ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା।