କୁଳ ଲଙ୍ଘିଲା ସମୁଦ୍ର: ମେରାଇନ ଡ୍ରାଇଭ୍‌ ରାସ୍ତା ଧସିଲା, ବାଲିବସ୍ତା ଦେଇ ଚାଲିଛି ମରାମତି କାମ

ପୁରୀ: କୁଳ ଲଙ୍ଘିଛି ସମୁଦ୍ର । ସମୁଦ୍ର ଜୁଆର କୂଳ ଲଂଘି ରାମଚଣ୍ଡୀ-ଚନ୍ଦ୍ରଭାଗା ମଝି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା(ଜାତୀୟ ରାଜପଥ)କୁ ଧୋଇନେଇଛି। ସମୁଦ୍ର ଜୁଆର ରାସ୍ତାରେ ପିଟି ହେବା ଫଳରେ ରାସ୍ତା ପତନଠାରୁ ୨୦ ଫୁଟ ତଳ ପର୍ଯ୍ୟନ୍ତ ବାଲିକୁ ସମୁଦ୍ର ଗର୍ଭକୁ ଚାଲିଯାଇଛି। ରାସ୍ତା ଧୋଇନେବା ପରେ ପ୍ରଶାସନ ବାଉଁଶ, ବସ୍ତା ଦେଇ ସମୁଦ୍ର ଜୁଆରକୁ ଅଟକାଇବାକୁ ଚେଷ୍ଟା କରୁଛି। ଅନ୍ୟପଟେ ବେଳାମାର୍ଗରେ ଏବେ ବି ବାଲିଝଡ଼ ଜାରି ରହିଛି। ବାଲିଝଡ଼ର ପ୍ରଖରତା ଏତେ ଯେ ଲୋକେ ଏହି ରାସ୍ତାରେ ଛିଡ଼ା ହେବା କଷ୍ଟକର ହୋଇପଡ଼ୁଛି।

ଆଜି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା(ଇକୋ ରିଟ୍ରିଟ ସ୍ଥଳ ପାଖକୁ ଲାଗି)କୁ ସମୁଦ୍ର ଜୁଆର ଧୋଇ ନେଇଛି। ଏହି ରାସ୍ତାର ଗୋଟିଏ ପାର୍ଶ୍ବ(ସମୁଦ୍ର ପାର୍ଶ୍ବ)ରୁ ପ୍ରାୟ ୩୦୦ ମିଟର ରାସ୍ତା, ଏହା ଫାଖ ବାଲିକୁ ଅଶାନ୍ତ ଜୁଆର ସମୁଦ୍ର ଗର୍ଭକୁ ଟାଣିନେଇଛି। ଜୁଆର ମାଡ଼ରେ ବାଲି ଓ ରାସ୍ତା ଧସିବାରୁ ଦଶନ୍ଧି ପୁରୁଣା ପଥର ପ୍ରାଚୀର ବି ଭୁଶୁଡ଼ିପଡ଼ିଛି। ବେଳାଭୂମି ରାସ୍ତାକଡ଼ରେ ଥିବା ୩ଟି ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଫଳରେ ରାସ୍ତା ଉପରୁ ଠିଆ ହେଲେ, ପ୍ରାୟ ୨୦ ଫୁଟରୁ ଅଧିକ ତଳେ ବେଳାଭୂମିର ବାଲି ରହିଥିବା ଦେଖିବାକୁ ମିଳିଛି। କେବଳ ଏହି ଜାଗା ନୁ‌ହେଁ, ଅନ୍ୟାନ୍ୟ ସ୍ଥାନରେ ବି ରାସ୍ତା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

ସମୁଦ୍ର ଜୁଆର ମାଡ଼ରେ ରାସ୍ତା ଧୋଇଯିବା ପରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ମିଶି ବଲ୍ଲା ପୋତି, ବାଲି ବସ୍ତା ସହ ଟିଣ ଦେଇ ରାସ୍ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି। ଆଜି ଉପଜିଲ୍ଲାପାଳ ଭବତାରଣ ସାହୁ, ସ୍ଥାନୀୟ ତହସିଲଦାର ସେକ୍‌ ସାଗୀର, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *