ଭୁବନେଶ୍ଵର : ଗସ୍ତ ସାରି ଭୁବନେଶ୍ଵର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା ଓ ବଳିଷ୍ଠ ନେତୃତ୍ଵ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର । ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେଇଛନ୍ତି।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପିଛି । ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ କରିବା ପରେ ନବୀନ ନିବାସ ଅଭିମୂଖେ ଯାଇଥିଲେ। ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯାଇଛି ।
ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିଥିଲେ। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଇଛି।