ଆଜି ମହାନବମୀ: ଝଲସୁଛି ଅନୁଗୋଳ ସହର

ବର୍ଷା ଭିଜେଇବ ପୂଜା ମାହୋଲ

ଅନୁଗୋଳ: ସୋମବାର ଥିଲା ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଅନୁଗୋଳର ସମସ୍ତ ପୂଜାମଣ୍ଡପରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ପରିବେଶ ସମ୍ପୂର୍ଣ୍ଣଭାବେ ପାର୍ବଣମୟ ହୋଇଉଠିଥିଲା। ତାହାଭିତରେ ଝଲସୁଥିଲା ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି‌, ସତେ ଯେମିତି ଅଜାଡ଼ି ଦେଉଛନ୍ତି ଶୁଭାଶିଷ।

ଚଳିତ ବର୍ଷ ;ଅନୁଗୋଳ ସହରରେ ଛୋଟ ବଡ଼ ମିଶାଇ ମୋଟ ୧୧ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି। ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି। ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି। ପୂର୍ବାହ୍ନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ମହାଷ୍ଟମୀ ଉପଲକ୍ଷେ ସୋମବାର ଦିନ ମଣ୍ଡପଗୁଡ଼ିକରେ ସକାଳୁ ସକାଳୁ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଜମି ଯାଇଥିଲା। ମହିଳାମାନେ ପରିବାରର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଭୋଗରାଗ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ସେହିପରି ମହାନବମୀ ଓ ବିଜୟା ଦଶମୀରେ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ମଣ୍ଡପ ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହେଲେ ଆଜି ସକାଳୁ ଲାଗି ରହିଥିବା ବର୍ଷା ପୂଜାକୁ ଫିକା ପକାଇବାର ସମ୍ଭାବନା ରହିଛି । ଏଥରକ ସହରର ହେମସୁରପଡା ପୂଜା ମଣ୍ଡପରେ ଦଶହରା ରାତିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଥିବାରୁ ଆତସବାଜୀ ଦେଖିବାକୁ ମିଳିବ। କରୋନାର ଭୟାବହତା କମିବା ପରେ ଏବର୍ଷ ମା’ଙ୍କ ପୂଜାକୁ ନେଇ ଉଭୟ ପୂଜା କମିଟି ଓ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *