ଆଜିଠାରୁ ଜିଲ୍ଲାର ସମସ୍ତ ସାହାରାଞ୍ଚଳରେ ନାଇଟ କର୍ଫ୍ୟୁ

ଅନୁଗୋଳ: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋଭିଡ୍‌ କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ କହିଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲାରେ ଏହାକୁ ଲାଗୁ କରାଯିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫୁ ରାତି ୧୦ ପରିବର୍ତ୍ତେ ଏଣିକି ୯ଟାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

Advertisement

ମଲ୍‌ ଓ ଶପିଂ କମ୍ପ୍ଲେକ୍ସରେ ଭିଡ଼ ହେଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଫୁଡ୍‌ କୋଟ ଓ ଫୁଡ୍‌ ପ୍ଲାଜା କେବଳ ପାର୍ସଲ ନେବା ପାଇଁ ଖୋଲା ରହିବ। ମାର୍କେଟ, ହାଟ, ସିନେମା ହଲ, ସୁଇମିଂ ପୁଲ, ପାର୍କ ଓ ଅଡିଟୋରିଅମରେ ଅଧିକ ଜନ ସମାଗମକୁ ବାରଣ କରାଯାଇଛି। ସାମାଜିକ, ଧାର୍ମିକ ସମାବେଶ ହୋଇପାରିବ ନାହିଁ। ବିବାହ, ବ୍ରତପୋନୟନ କାର୍ଯ୍ୟରେ ୧୦୦ ଲୋକ ଯୋଗଦେଇପାରିବେ ଏବଂ ଏଥିପାଇଁ ଅନୁମତି ଆଣିବାକୁ ପଡ଼ିବ। ବିବାହ ଶୋଭାଯାତ୍ରାରେ ସମୁଦାୟ ୩୦ ଜଣ ଯାଇପାରିବେ। ଅନ୍ତ୍ୟେଷ୍ଟିକ୍ରିୟାରେ ୫୦ ଜଣ ଅଂଶଗ୍ରହଣ କରିପାରିବେ। ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ବାର ଆଦି ୫୦ ପ୍ରତିଶତରେ କୋଭିଡ ନିୟମାବଳୀ ଆଧାରରେ ଚାଲିପାରିବ। ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ। ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

Leave a Reply

Your email address will not be published. Required fields are marked *