୪୧ ବର୍ଷ ପ୍ରତୀକ୍ଷାର ଅବସାନ: ଟୋକିଓ ଅଲିମ୍ପିକ୍ସ୍‌ ପୁରୁଷ ହକିରେ କାଂସ୍ୟପଦକ ଜିଣିଲା ଭାରତ.

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଛି। ୧୯୮୦ ମସ୍କୋ ଅଲିମ୍ପିକ୍‌ ବିଜୟ ପରେ ଏହା ହେଉଛି ‌ଅଲିମ୍ପିକ୍‌ ହକି କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜୟ। ପୂର୍ବରୁ ୪ଥର ଚାମ୍ପିଅନ୍‌ ହୋଇଥିବା ଜର୍ମାନି ଏହି ପ୍ରତିଯୋଗିତାରେ ଶୋଚନୀୟ ପରାଜୟ ସ୍ବୀକାର କରିଛି।

ଆଜିର ଏହି ରୋମାଞ୍ଚକର କ୍ରୀଡ଼ାରେ ସିମରନ୍‌ଜିତ୍ ସିଂହ ଦୁଇଟି ‘ଫିଲ୍‌ଡ୍‌ ଗୋଲ୍‌’ ଦେଇଥିବା ବେଳେ ହାର୍ଦ୍ଦିକ ସିଂହ ପେନାଲ୍‌ଟି କର୍ଣ୍ଣର୍‌ରେ ଗୋଲ୍‌ ଦେଇଥିଲେ। ପ୍ରଥମେ ୩-୧ରେ ଥିବା ଭାରତ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟରେ ୩-୩ ସ୍ତରକୁ ଆସିଯାଇଥିଲା। ଏହି ସମୟରେ ରୁପିନ୍ଦର ପାଲ୍‌ ସିଂହ ପେନାଲ୍‌ଟି କର୍ଣ୍ଣର୍‌ରେ ଗୋଲ୍‌ଟିଏ ଦେବାରୁ ଭାରତ ଗୋଟିଏ ଗୋଲ୍‌ରେ ଅଗ୍ରଣୀ ରହିଲା। ଏହାପରେ ସିମରନ୍‌ଜିତ୍ ଆଉ ଏକ ଗୋଲ୍‌ ଦେବାରୁ ଭାରତ ଜର୍ମାନିକୁ ୫ଟି ଗୋଲ୍‌ ଦେବ‌ାରେ ସମର୍ଥ ହୋଇଥିଲା।ଏହା ହେଉଛି ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ୪ର୍ଥ କାଂସ୍ୟପଦକ। ୧୦୭୨ରେ ମୁନିଚ୍‌ରେ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତୀୟ ଦଳ ଶେଷଥର ପାଇଁ କାଂସ୍ୟ ପଦକ ବିଜୟୀ ହୋଇଥିଲା। ପୁରୁଷ ହକିରେ ଏଯାବତ୍ ୮ଟି ସ୍ବର୍ଣ୍ଣପଦକ ପାଇଥିବା ଭାରତ ହେଉଛି ଅଲିମ୍ପିକ୍‌ କ୍ରୀଡ଼ାରେ ସବୁଠୁ ସଫଳ ଟିମ୍‌।

ଆଜିର ହକି ପ୍ରତିଯୋଗିତାରେ ୨୪ ମିନିଟ୍‌ ଖେଳ ହେବା ପରେ ୩-୧ରେ ଥିବା ଭାରତ ଜର୍ମାନିଦ୍ବାରା ଚାପଗ୍ରସ୍ତ ହୋଇଥିଲା। କିନ୍ତୁ, ପ୍ରତିଆକ୍ରମଣ ସୁଯୋଗର ସଦ୍‌ବ୍ୟବହାର ପାଇଁ ଜାଗ୍ରତ ଥିଲେ ସୁଦ୍ଧା ଏହି ସମୟରେ ଭାରତକୁ ମିଳିଥିବା ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ହର୍‌ମାନପ୍ରୀତ୍‌ ଗୋଲ୍‌ କରାଇବାରେ ଅସମର୍ଥ ହୋଇଥିଲେ।ଖେଳ ଶେଷ ହେବାକୁ ଆଉ ମାତ୍ର ୩ ମିନିଟ୍‌ ଥିବାବେଳେ ଜର୍ମାନି ଦେଇଥିବା ଗୋଟିଏ ପେନାଲ୍‌ଟି କର୍ଣ୍ଣର୍‌କୁ ପ୍ରତିରୋଧ କରି ଭାରତ ଐତିହାସିକ ବିଜୟ ହାସଲ କରିଥିଲା

Leave a Reply

Your email address will not be published. Required fields are marked *