ଢେଙ୍କାନାଳରେ ‘ଋଣ ମେଳା’ରେ ହିତାଧିକାରୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲାର ପଲ୍ଲୀଶ୍ରୀ ମେଳା ପଡ଼ିଆ ଠାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଶନିବାର ଅନୁଷ୍ଠିତ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ।

ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ, ମୋଦି ସରକାରରେ ଏହା ପରିବର୍ତ୍ତନ ହୋଇଛି

ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଅଛନ୍ତି ମାନେ ସବୁ ସମ୍ଭବ । ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ । ବ୍ୟାଙ୍କରେ ଖାତା ଖୋଲି ପାରୁନଥିଲେ । ଆଜି ମୋଦି ସରକାରରେ ଏହା ପରିବର୍ତ୍ତନ ହୋଇଛି । ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲା କରାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ମୋଦି ସରକାରଙ୍କ ସଫଳ ନୀତି କାରଣରୁ ଆଜି ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର୍ୟକରୁ ମୁକ୍ତ ହୋଇ ଆତ୍ମନିର୍ଭର ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ଋଣ ସହାୟତା ପ୍ରଦାନ କରି ସେମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ ଓ ସଶକ୍ତ କରାଯାଉଛି । କ୍ଷୁଦ୍ର ବ୍ୟବସାୟୀ, ମୁଦ୍ରା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ପିଏମ ସ୍ୱନିଧି, ଏମଏସଏମଇ ଋଣ, କିଷାନ କ୍ରେଡିଟ୍ କାର୍ଡ, ଫସଲ, ମତ୍ସ୍ୟ ଚାଷ ଓ ଏସଏଚଜି ଭଳି ଯୋଜନା ପାଇଁ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ୨୦୧୪ ବେଳେ ମାତ୍ର ୪୩୩୮ଟି ବ୍ୟାଙ୍କ ଶାଖା ଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ସମାବେଶର ଲକ୍ଷ୍ୟ ନେଇ ଭାରତ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ବ୍ୟାଙ୍କ ଓ ଆର୍ଥିକ ସେବାକୁ ୨୦୧୪ ତୁଳନାରେ ଲୋକାଭିମୁଖୀ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ଶାଖା ବ୍ୟାଙ୍କ ସଂଖ୍ୟା ୬,୦୬୦ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡ଼ିଶାରେ ମୋଟ ୨ କୋଟି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ବ୍ୟାଙ୍କ ଖାତା ଖୋଲା ଯାଇଛି ଯାହାଦ୍ଵାରା ଗରିବ ଶ୍ରେଣୀର ଲୋକେ ପାଖା ପାଖି ୪୦୦୦ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଗୁଁ ୧.୧୭ କୋଟି ମହିଳାଙ୍କୁ ନୂଆ କରି ବ୍ୟାଙ୍କ ସହ ସଂଯୋଗ କରାଯାଇଛି । ୨୦୧୪ ବେଳେ ଓଡ଼ିଶାରେ ଥିବା ସମସ୍ତ ବ୍ୟାଙ୍କ୍ ଦ୍ୱାରା ଦିଆଯାଇଥିବା ଋଣ ପରିମାଣ ମାତ୍ର ୬୭ ହଜାର କୋଟି ଟଙ୍କା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ଏହା ବର୍ତ୍ତମାନ ୨.୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମୋଦି ସରକାରଙ୍କ ଅମଳରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଯୋଜନାରେ ମୋଟ ମୋଟ ୧୩.୨୧ ଲକ୍ଷ ଜଣଙ୍କୁ ୧୪,୦୮୩ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଛି ।ଏହି କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *