ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଆଜି ୧୨ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ।

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୨୪, ବଲାଙ୍ଗୀରରେ ୨୩, ସୋନପୁର ୧୭, ସମ୍ବଲପୁର ୨୦ ଓ  ଅନୁଗୋଳ ରେ ୧୧ ମିମି ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀରେ ମଧ୍ୟ ବର୍ଷାର ପ୍ରଭାବ ଆରମ୍ଭ ହୋଇଯାଇଛି।

Advertisement

ଏହି ବର୍ଷା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ଆସନ୍ତା ୨ ଦିନ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି। ବୁଧବାର କାଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୋଳ , ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଏହା ସହିତ ଅମଳ ହୋଇସାରିଥ୍‌ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ରବି ଫସଲର ବୁଣାବୁଣିକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଥିବା ବେଳେ ସୋରିଷ ଚାଷୀମାନେ ବିଲରେ ପାଣି ନ ମଡ଼ାଇବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *