ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ ଓ ମାର୍ଗଦର୍ଶକ । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏକ ବଳିଷ୍ଠ ମାଧ୍ୟମ। ଏହା ଆମକୁ ସଂସ୍କାରବାନ୍ ଓ ଦାୟିତ୍ବବାନ୍ କରିବା ସହ ଏଥିଯୋଗୁଁ ଆମର ଜ୍ଞାନ, ତର୍କଶକ୍ତି ଓ ବୌଦ୍ଧିକ କ୍ଷମତାର ବିକାଶ ହୋଇଥାଏ। ସ୍କୁଲ ଜୀବନରୁ ଆରମ୍ଭ ହୋଇଥିବା ପାଠପଢା ଜୀବନର ଶେଷ ସମୟ ପର୍ଯ୍ୟନ୍ତ କାମରେ ଆସିଥାଏ। ଅଜ୍ଞାନ ରୂପୀ ଅନ୍ଧକାରକୁ ନାଶ କରି ଜ୍ଞାନର ଆଲୋକରେ ଆମ ଜୀବନକୁ ପରିସ୍ଫୁଟିତ କରିଥାଏ। ସୁଖଦୁଃଖରେ ବିଚଳିତ ନ ହୋଇ ଆଗକୁ ବଢିବାର ଆଶ୍ବାସନା ଆମ ଭିତରେ ଜାଗ୍ରତ କରାଏ। ଜୀବନର ଆରମ୍ଭରୁ ଶେଷ ଯାଏ ଆମେ ତା’ ସହ କେତେ ମୁହୂର୍ତ୍ତ ଯେ ବିତେଇ ଦିଅନ୍ତି, ତାହା ଆମ କଳ୍ପନାର ଊର୍ଦ୍ଧ୍ବରେ।

ଆଜି ବିଶ୍ବ ପୁସ୍ତକ ଏବଂ କପିରାଇଟ୍ ଦିବସ। ୟୁନେସ୍କୋର ଅନୁମୋଦନ କ୍ରମେ ୧୯୯୬ରୁ ପ୍ରତିବର୍ଷ ଏପ୍ରିଲ୍ ୨୩ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହାବାଦ୍ ୨୩ ଏପ୍ରିଲ୍, ଏପରି ଜଣେ ଲେଖକଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଯାହାଙ୍କର ପ୍ରତ୍ୟେକ ବହି ବିଶ୍ବର ବିଭିନ୍ନ ଭାଷାରେ ଅନୁବାଦ ହୋଇଛି। ଏହି ମହାନ୍ ଲେଖକ ହେଉଛନ୍ତି ୱଲିୟମ୍ ସେକ୍ସପିଅର୍। ତାଙ୍କରି ମୃତ୍ୟୁ ଦିବସର ସ୍ମରଣାର୍ଥେ ୟୁନେସ୍କୋ ୨୩ ଏପ୍ରିଲ୍କୁ ‘ବିଶ୍ବ ପୁସ୍ତକ ଦିବସ’ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ସେକ୍ସପିଅର୍ ତାଙ୍କ ଜୀବନକାଳରେ ୩୫ଟି ନାଟକ ଓ ୨୦୦ରୁ ଊର୍ଦ୍ଧ୍ବ କବିତା ଲେଖିଥିଲେ। ସାହିତ୍ୟ ଜଗତରେ ସେକ୍ସପିଅର୍ଙ୍କ ସମକକ୍ଷ ଲେଖକ ମିଳିବା ଦୁର୍ଲଭ। ସେହିପରି ପୁସ୍ତକ ଦୁନିଆରେ କପିରାଇଟ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।
ବିଶ୍ବ ପୁସ୍ତକ ଦିବସ ଅବସରରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଏ। ଏବେର ଇଣ୍ଟର୍ନେଟ୍ ଦୁନିଆରେ ବି ବହିର ଆଦର କମିନି। ଅବଶ୍ୟ ଏବେ ବହିର ସ୍ଥାନ ନେଇଛି ଇ-ବୁକ୍ ବା ଇଣ୍ଟରନେଟ୍ ବୁକ୍। ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ଡିଜିଟାଇଜେସନ୍ ଦ୍ବାରା ବିଶାଳ ପାଠାଗାର ପ୍ରସ୍ତୁତ ହୋଇଛି। ଘରେ ବସି ଗୋଟିଏ କ୍ଲିକ୍ରେ ଏବେ ପୁସ୍ତକ ପଢ଼ିବାର ସୁଯୋଗ ପାଉଛନ୍ତି ପୁସ୍ତକ ପ୍ରେମୀମାନେ । ଟିଭି, ଇଣ୍ଟରନେଟ୍, ମୋବାଇଲ୍, ସୋସିଆଲ୍ ନେଟ୍ୱାର୍କିଂ ସାଇଟ୍ର ବହୁଳ ବ୍ୟବହାର ଯୋଗୁଁ ଲୋକେ ବହି ଅପେକ୍ଷା ଏବେ ଇଣ୍ଟରନେଟ୍ରେ ଅଧିକ ସମୟ ବିତାଉଛନ୍ତି। ଏଥିଯୋଗୁଁ କୁନି କୁନିପିଲାଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କର ଭରସା ଗୁଗଲ୍ ଉପରେ ବଢ଼ିଛି , ଫଳରେ ସ୍ମରଣଶକ୍ତି ହ୍ରାସ ପାଉଛି।

ଏହାଦ୍ବାରା ମାନସିକ ବିକାଶ ହୋଇପାରୁନି। କିନ୍ତୁ ଏତେ ସବୁ ମଧ୍ୟରେ ବହିର ଲୋକପ୍ରିୟତା ଏବେ ବି ବଳବତ୍ତର ରହିଛି। କାହାକୁ ଜୀବନୀ ଭଲ ଲାଗେ ତ କାହାକୁ ଉପନ୍ୟାସ। କିଏ କ୍ଷୁଦ୍ରଗଳ୍ପ ପଢିବାକୁ ଭଲ ପାଏ ତ ପୁଣି କିଏ କବିତା ଆଉ ନାଟକ। ତେବେ ପୁସ୍ତକ ସମସ୍ତଙ୍କର ପସନ୍ଦ ହୋଇ ରହିଛି। ଗୋଟିଏ ଭଲ ବହି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ବିକାଶ କରିବା ସହ ତା’ର ସୁନ୍ଦର ଭବିଷ୍ୟତ ଗଢ଼ିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ବହି ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି