||ସ୍ବନରେ ରଖ ମନ||

|| ସ୍ଵନରେ ରଖ ମନ ||

Advertisement

କଦମ୍ବ କୁଙ୍କୁମ କାନନେ କୋକିଳ
କରେ ଯେମନ୍ତେ କୂଜନ
ବସନ୍ତ ଆଳୟେ ସୁଗନ୍ଧ ମଳୟେ
ସେ ସ୍ବରେ ରଖିବା ମନ।।

ସଞ୍ଜ ସକାଳରେ ମନ୍ଦିର ପ୍ରାଙ୍ଗଣୁ
ଘଣ୍ଟ ଘଣ୍ଟା ଭେରି ତୁରୀ
ହରିବୋଲ ହୁଳହୁଳୀ ଶବଦରେ
ରଖିବା ମନ ଆମରି।।

ଭିକ୍ଷୁକ ତୁଷାର୍ତ୍ତ ଅନ୍ଧ ଛୋଟା କାଲ
ନିଃସହାୟ ବାଳ ବୃଦ୍ଧ
ତାଙ୍କରି ଆତୁର ସ୍ବନକୁ ହୃଦୟେ
ରଖିବାକୁ ଦେବା ମନ।।

ପିତାମାତା ଗୁରୁ ଗୁରୁଜନ ଅବା
ଯେ ସ୍ଥାନେ ଯେମନ୍ତ ଭାବେ
ଡାକଶୁଣି ଯଦି ସେ ସ୍ବନେ ଧାଇଁବା
ମୁକତି ଲଭିବା ଭବେ।।

ହରି ସ୍ବନେ ମାତ୍ର ରଖିଥିବା ମନ
ସକାଳରୁ ସଞ୍ଜ ଯାଏ
ନିଜ କର୍ମେ ଥିବା ରୂପ ସ୍ମରୁଥିବା
ଭକତି କୁସୁମ ଲୟେ।।

ସେଇ ସ୍ନନ ଯାହା ହରେକୃଷ୍ଣ ନାମେ
ଜଗତେ ଅଟେ ପ୍ରଚାର
ନିଶିଦିନ ଯଦି ମନେ ଗୁଣୁଥିବା
ଶ୍ରୁତି ଲଭିବ ନିସ୍ତାର ।।

ଘର ବୃନ୍ଦାବନ ଗୋପୀ ପରିଜନ
ସ୍ତ୍ରୀ ହେବ ରାଧାରାଣୀ
ଦାଣ୍ଡ ଗୋପଦାଣ୍ଡ କରି ହରିନାମ
ବିଭୂ ରସେ ପିଇ ବାଣୀ।।

ବାକି ଦିବସକୁ କଟାଇ ଚାଲିବା
ରାଗହିଂସା ଅହଂ ତେଜି
କୃଷ୍ଣ ନାମ ସ୍ବନ କରି ଗଣ୍ଠିଧନ
ନୟନକୁ ଦେବା ବୁଜି।।

ଗୀତାମୟୀ ମହାପାତ୍ର, ଅନୁଗୋଳ
ସଂପାଦିକା, “ଚେତନାଶ୍ରୀ”

Leave a Reply

Your email address will not be published. Required fields are marked *