ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଜିଛି ବିଗୁଲ। ରାଜ୍ୟରେ ଗତକାଲି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି ।
ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୨୪ରେ ଭୋଟ୍ ଗ୍ରହଣ କରାଯିବ । ୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।
ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ। ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିବ। ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ। ସେଠାରେ କର୍ପୋରେଟର/କାଉନ୍ସିଲର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି। ଏଥର ଇଭିଏମରେ ଭୋଟ୍ ହେଉଥିବାରୁ ସମସ୍ତ ଜିଲ୍ଲାରୁ କିଛିକିଛି କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ସେମାନେ ବାକି କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ସବୁ ଜିଲ୍ଲାକୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ ପଠାସରିଛି।