ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ୬୧ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ଆଜି ସକାଳ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବିଧବା ପତ୍ନୀ, ଗୋଟିଏ ପୁତ୍ର ଓ କନ୍ୟା ଅଛନ୍ତି।

ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ୨୦୦୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ବିଜେପିର ଜଣେ ବଡ଼ ନେତା  ଏବଂ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ ସେ। କେବଳ ଜଣେ ରାଜନେତା ନ ଥିଲେ, ବରଂ ସେ ଜଣେ ସାହିତ୍ୟିକ ଭାବେ ବି ବେଶ ପରିଚିତ। ଜଣେ ମେଳାପୀ ଓ ସାଲିସବିହୀନ ବ୍ୟକ୍ତି ଭାବେ ସେ ଖୁବ୍ ଜଣାଶୁଣା ଥିଲେ। ସେ ଘାସଫୁଲ ସାହିତ୍ୟ ପତ୍ରିକାର ସଂପାଦକ ବି ଥିଲେ। ‌ସେ କାଜୁ ନିଗମର ଅଧ୍ୟକ୍ଷ ବି ଥିଲେ।

୧୯୬୧ ମସିହା ଜୁନ୍ ୫ ତାରିଖରେ ସେ ଜନ୍ମ ହୋଇଥିଲେ।  ଯୁବାବସ୍ଥାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ବି ସକ୍ରିୟ ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ। ଓଏଏସ୍ ପାଇଥିଲେ ବି ଚାକିରୀରେ ଯୋଗ ନ ଦେଇ ସ୍ବର୍ଗତଃ ସେଠୀ ଜନସେବାରେ ବ୍ରତୀ ହୋଇଥିଲେ ଏବଂ ପରେ ‌ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ସାହିତ୍ୟିକ ମହଲରେ ଶୋକର ଛାୟ‌ା ଖେଳିଯାଇଛି।

ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବିଧାୟକ ଵିଷ୍ଣୁ ଚରଣ ସେଠୀଙ୍କ ପରଲୋକରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ରାଜ୍ୟପାଳ।

ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଗଭୀର ଲୋକ ବ୍ୟକ୍ତ କରିଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Leave a Reply

Your email address will not be published. Required fields are marked *