ବାତ୍ୟା ପରେ କରୋନା ଚିନ୍ତା : ଆଶ୍ରୟସ୍ଥଳ ଫେରନ୍ତା, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ।

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଚାଲିଯ଼ିବା ପରେ ଏବେ ପୁଣି କରୋନା ଚିନ୍ତା ଫେରିଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯ଼ାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯ଼ାଇଥିବା ହଜାର ହଜାର କର୍ମଚାରୀ ଯ଼େପରି କରୋନା ସଂକ୍ରମିତ ନ ହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳକୁ ଯ଼ାଇଥିବା ଲୋକ ଓ ସହାୟତା କର୍ମଚାରୀଙ୍କ ଶରୀରରେ ସମ୍ଭାବ୍ୟ କୋଭିଡ୍ ଲକ୍ଷଣ ଉପରେ ନଜର ରଖିବାକୁ ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ୧୨ ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ରଲେଖି ଏ ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୨ଟି ଜିଲ୍ଲା ହେଲା ବାଲେଶ୍ବର, ଭଦ୍ରକ,ମଂୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, କେନ୍ଦୁଝର, କଟକ, ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ ।ଏହି ପତ୍ରରେ କୁହାଯ଼ାଇଛି ଯ଼େ ଆଶ୍ରୟସ୍ଥଳ ଫେରନ୍ତା ଲୋକ, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଘରକୁ ଘର ବୁଲୁଥିବା ସର୍ଭେ ଟିମକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯ଼ାଉ । ସେହିପରିଏସବୁ ଲୋକମାନେ ନିଜେ ନିଜର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଅଲଗା କରି କୋଭିଡ୍ ପରୀକ୍ଷା କରାନ୍ତୁ ।

Leave a Reply

Your email address will not be published. Required fields are marked *