ଅନୁଗୋଳ : ଚଳିତ କାର୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଶନିବାର ଇଂ.ତା. ୦୯.୧୧.୨୦୨୪ରିଖ ଶ୍ରୀ ଗୋପାଳ
ଗୋଶାଳା, ରନ୍ତଲେଇ, ଅନୁଗୋଳ ଆନୁକୂଲ୍ୟରେ ପବିତ୍ର ଗୋପାଷ୍ଟମୀ ମେଳା ପାଳିତ ହେବ । ଏହି ବର୍ଣ୍ଣାତ୍ୟ
ସମାବେଶରେ ଢେଙ୍କାନାଳ ସାଂସଦ ମାନ୍ୟବର ଶ୍ରୀ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ମାନ୍ୟବର
ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ତଥା ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ପ୍ରମୁଖ ଯୋଗଦାନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଘଟିକା ସମୟରେ ଗୋମାତା ପୂଜନରୁ ପ୍ରାରମ୍ଭ ହୋଇ ଶ୍ରୀ ହନୁମାନ ଚାଳିଶା ପାଠ, କାମଧେନୁ ଯଜ୍ଞ, ପ୍ରଦର୍ଶନୀ ଓ ପ୍ରବଚନ ସଭା ଇତ୍ୟାଦି ଅନୁଷ୍ଠିତ ହେବ । ଗୋପାଷ୍ଟମୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାଗୀଙ୍କୁ ବରେଣ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ ବୋଲି କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଗୋପାଷ୍ଟମୀର ପାବନ ଅବସରରେ ପୂର୍ବାହ୍ନ ୧୦ ଘଟିକାରୁ ତୁଳାଦାନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ଇଚ୍ଛୁକ ବ୍ୟକ୍ତି ତଥା ଗୋଭକ୍ତମାନେ ନିଜ ଓଜନ ପରିମାଣର ଗୋଖାଦ୍ୟ ଗୋଶାଳାକୁ ଦାନ କରିବେ । ଅପରାହ୍ନ ୧ ଘଟିକାରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା କୁହାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳ ଗୋଶାଳାର ସଭାପତି ଶ୍ରୀଯୁକ୍ତ ଲଡୁକେଶ୍ଵର ଅଗ୍ରୱାଲ, ପୂର୍ବତନ ସଭାପତି ଗୋପାଳ ମୁଦ୍ରା, ଉପଦେଷ୍ଟା ଅଶୋକ ମୁରାରକା, ସମ୍ପାଦକ ରାମ କିଶନ ହଂସଲ, କୋଷାଧ୍ୟକ୍ଷ ସନ୍ତୋଷ କୁମର ଅଗ୍ରୱାଲ, ଗଣ ମାଧ୍ୟମ ସଂଯୋଜକ ଚନ୍ଦ୍ରକାନ୍ତ ଧଳ ପ୍ରମୁଖଙ୍କ ସହିତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ଗୋପାଷ୍ଟମୀ ମେଳା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।