RDCଙ୍କ ଦିନିକିଆ ଅନୁଗୋଳ ଗ୍ରସ୍ତ: ବିଭିନ୍ନ ବିଭାଗର କଲେ ସମୀକ୍ଷା  

ଅନୁଗୋଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ଅନୁଗୋଳ ଜିଲା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ନିରୀକ୍ଷଣ କରିଥିଲେ। ସରକାରଙ୍କ ଜନହିତକର ଯୋଜନାଗୁଡିକ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜିଲାରେ କିପରି ଅଧିକ ଛାତ୍ରୀଛାତ୍ର ଏ-୧, ଏ-୨ ଗ୍ରେଡ୍‌ରେ ପାସ୍‌ କରିପାରିବେ, ସେଥିପାଇଁ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ବିଭିନ୍ନ ପଦକ୍ଷେପ ନେବା ସହିତ ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ବତନ୍ତ୍ର କୋଚିଂ ବ୍ୟବସ୍ଥା କରାଇବାକୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ – ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ସମସ୍ୟା ଏବଂ ନୂତନ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବଅଁରପାଳ-ପାଲଲହଡା ରାସ୍ତାର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗର ସମସ୍ତ ସବ୍‌ସେଣ୍ଟରରେ ପାନୀୟ ଜଳ ଯୋଗାଣ ଓ ବିଜୁଳି ସଂଯୋଗୀକରଣ ଉପରେ ରାଜସ୍ବ କମିଶନର ଆଲୋକପାତ କରିଥିଲେ। କୃଷି, ମତ୍ସ୍ୟ, ଜଳ ବିଭାଜିକା, ଉଦ୍ୟାନ ବିଭାଗ ଓ ଜଳସେଚନ ଆଦି ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୋଳ ଉପଜିଲାପାଳ ବଇତୁରା ଦିପ, ତାଳଚେର ଉପଜିଲାପାଳ ବିଶ୍ବ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା, ପାଲଲହଡା ଉପଜିଲାପାଳ ସୁଶାନ୍ତ କୁମାର ପତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଓ ସମସ୍ତ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *