ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବନ୍ଦ ।

ଅନୁଗୋଳ: ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେଇଯିବା ପରେ ଗତ ମାର୍ଚ୍ଚ ୩୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଜିଲା ବ୍ୟାପି ଉତେଜନା ଲାଗି ରହିଛି। ବିଭିନ୍ନ ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ ଗୁଡିକ ଏହାର ଘୋର ବିରୋଧ କରି ଆସୁଛନ୍ତି। ଶେଷରେ ଜିଲା ବିଜେଡି ମଧ୍ୟ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓଲ୍ହାଇଛି। ଆଜି ୧୨ଘଣ୍ଟିଆ ଜିଲା ବନ୍ଦ ଡାକରା ଦେଇଥିଲା। ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଅନୁଗୁଳରେ ବୁଲି ବୁଲି ପିକେଟିଂ କରିଥିଲେ। ସବୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ କରିଥିଲେ। ଜିଳାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ସବୁ ସ୍କୁଲ କଲେଜ, ବ୍ୟାଙ୍କ ଆଦି ମଧ୍ୟ ବନ୍ଦ ରହିଥିଲା। ଚାରିଆଡେ ଖାଁ ଖାଁ ଲାଗୁଥିଲା। କେତେକ ସ୍ଥାନରେ ବିଜେଡି କର୍ମୀ ମାନେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ଅବରୋଧ କରିଥିଲେ।

ବିଜେଡି ଅଭିଯୋଗ କରିଛି ପ୍ରଦୂଷଣ ଆଳ ଦେଖାଇ କେନ୍ଦ୍ର ସରକାର ଏକ ଚାଲୁଥିବା ପ୍ଲାଣ୍ଟକୁ ଅଚାନକ ବନ୍ଦ କରିଦେଲେ। ଏନେଇକି ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦେଲେ ନାହିଁ। ପ୍ରଦୂଷଣ ଅବଧି ଶେଷ ହୋଇଥିଲେ ମଧ୍ୟ ଅବଧି ନବୀକରଣ ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରଦୂଷଣ ବୋର୍ଡକୁ  ଅନୁମତି ମାଗିଲେ ନାହିଁ। ତେଣୁ ଏହି ପ୍ଲାଣ୍ଟକୁ ଜାଣିଶୁଣି ଚକ୍ରାନ୍ତ କରି ବନ୍ଦ କରି ଦିଆ ଯାଇଛି। ସାମାନ୍ୟ ମରାମତି କରି ଏହି ପ୍ଲାଣ୍ଟ ଆହୁରି ୧୦ରୁ ୧୫ବର୍ଷ ଚାଲି ପାରି ଥାଆନ୍ତା। କିନ୍ତୁ ଏଭଳି ଅଚାନକ ବନ୍ଦ କରିଦେବା ଫଳରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୩୦ହଜାର ଶ୍ରମିକ ପରିବାର ପ୍ରଭାବିତ ହୋଇଛନ୍ତି। ପ୍ଲାଣ୍ଟ ଆଖପାଖରେ ଗଢି ଉଠିଥିବା ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଲୋକେ ବେରୋଜଗାର ହୋଇ ଯାଇଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବାକୁ ହାତ ବଢ଼ାଇ ଥିଲେ ମଧ୍ୟ ଚଂଚକତା କରି ପ୍ଲାଣ୍ଟ ବନ୍ଦ କରିବା ଏବଂ ହଜାର ହଜାର ଶ୍ରମିକଙ୍କ ଦାନା ପାଣି ଛଡେଇ ନେବା ଆଦୌ ଯଥାର୍ଥ ନୁହେଁ। ଆଜି ବିଜେଡି ଶାନ୍ତିପୂର୍ଣ୍ଣ ଭାବେ କେବଳ ବନ୍ଦ ଡାକରା ଦେଇଛି। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଭୟାବହ କରିବାକୁ ଚେତାବନୀ ଦେଇଛି। ସେହିପରି ଏସ ୟୁ ସି ଆଇ ମଧ୍ୟ ଆଗାମୀ ଦିନରେ ପ୍ଲାଣ୍ଟ ଚାଲୁ କରି ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।

ଗୋଟିଏ ପଟେ ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ଜିଳାରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ପ୍ଲାଣ୍ଟ କର୍ତ୍ତୃପକ୍ଷ ନିରବ ରହିଛନ୍ତି। ୧୩୨୦ ମେଗାୱାଟ କ୍ଷମତା ବିଶିଷ୍ଟ ନୂତନ ପ୍ଲାନ କାମ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ସରକାରୀ ସ୍ତରରେ ସ୍ଥିର ହୋଇଛି। ତେଣୁ ଆଗାମୀ ଦିନରେ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହା ସମୟ ହିଁ କହିବ।

Leave a Reply

Your email address will not be published. Required fields are marked *