୨୦ରେ ଆସୁଛି ଆଉ ଏକ ଲଘୁଚାପ: ୧୫ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଗତ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି (ରବିବାର) ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟଟି କ୍ରମଶଃ ଅଧିକ ଘନୀଭୂତ ହେଉଥିବା ବେଳେ ଏହାର ପ୍ରଭାବରେ ୨୦ ତାରିଖ (ମଙ୍ଗଳବାର) ବେଳକୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ ରୁ ୨୦ସେମି) ରହିଥିବା ବେଳେ ୧୯ ଏବଂ ୨୦ ତାରଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ମାରିବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, ଗଜପତି, ଗଂଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଏବଂ ବଲାଙ୍ଗୀର ପ୍ରଭୃତି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ୧୫ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

Leave a Reply

Your email address will not be published. Required fields are marked *