||ରଙ୍ଗ ର ଦୁଇଟି ସ୍କେଚ||

ଅଣୁକଥା-୧-

ଯଦିଓ ଆଜି ହୋଲି ବୋଲି ଜାଣିଛି ରାଜୁ ତଥାପି ସବୁଦିନ ପରି ଆଜି ମଧ୍ୟ ବସ୍ତା ଟା କାଖରେ ଜାକି ବାହାରି ପଡ଼ିଲା ପ୍ଲାଷ୍ଟିକ ବୋତଲ ଗୋଟେଇ।ଆପାର୍ଟମେଣ୍ଟ ପାଚେରୀ ପାଖ ପଡିଆ ଆଡେ ଗୋଟେଇବ ବୋଲି ମାଡି ଗଲା ବେଳେ ଛାତ ଉପରୁ ସୋସାଇଟିର ମେଞ୍ଚେ ପିଲା ବଡ଼ ପିଚକାରୀରେ ରାଜୁ କୁ ଲକ୍ଷ୍ୟ କରି ରଙ୍ଗମାରି ଖୁସି ହେଉଥିଲେ ।କିନ୍ତୁ ରାଜୁ ର ଟିକେ ବି ପ୍ରତିବାଦ ନଥିଲା। ରଙ୍ଗ କିଣିବାକୁ ସମ୍ବଳ ନଥିଲେ ମଧ୍ୟ’ ତା’ ଦିହରେ ରଙ୍ଗ ଲାଗିଛି ବୋଲି ପୁଲକିତ ହେଇ ଉଠୁଥିଲା। ତା ବୋତାମ ଛିଣ୍ଡା ମଇଳା ସାର୍ଟ ଖଣ୍ଡିକ ମୂଳ ରଙ୍ଗ ହରେଇ ରଙ୍ଗୀନ ଦିଶୁଥିଲା ।

-୨-

ଆଠ ମାସ ତଳୁ ନୂଆଁ ବୋହୁ ହୋଇ ପାଦ ଥାପିଲା ପରେ,ଶାଶୁ ଘର ସଭିଙ୍କୁ ଆପଣା କରି ସାରିଥିଲେ ବି ନିଜ ମନମଣିଷ ତା’ସ୍ବାମୀ ର ସାନିଧ୍ୟ ଟିକକ ଏଯାଏଁ ପାଇ ପାରି ନଥିଲା ସୁପ୍ରିୟା । ପ୍ରଥମ ରାତିରେ ତା’ ଆଗରେ ସବୁ ବଖାଣିଥିଲେ ଘର ଲୋକଙ୍କ ଚାପ ରେ ବିବାହ କରିଥିବା ତା’ସ୍ବାମୀ କିପରି ଏଯାଏଁ ଭୁଲି ପାରୁ ନାହାଁନ୍ତି ତାଙ୍କ ପ୍ରେମିକାଙ୍କୁ । କୋହକୁ ପେଟରେ ଚାପି ଧରି ପ୍ରଘଟ ନକରି ଦମ୍ଭ ଧରିଛି ସୁପ୍ରିୟା।

ଆଜି ହୋଲି ବୋଲି ଘରେ ସବୁ ସଦସ୍ୟ ଉପସ୍ଥିତ। ନାଚ ଗୀତ ଭିତରେ ରଙ୍ଗ ବୋଳାବୋଳି ହେଉ ଥିଲେ ଦିଅର,ନଣନ୍ଦ,ଝିଆରୀ, ପୁତୁରା ସମସ୍ତେ ଏକାଠି।ସୁପ୍ରିୟା ମୁହଁ ସାରା ରଙ୍ଗ ର ପରସ୍ତ ପରସ୍ତ ଲେପି ଚାଲୁ ଥିଲେ ସମସ୍ତେ ।ସମସ୍ତେ ଖୁସି ହେଉଥିଲେ । କିନ୍ତୁ ସୁପ୍ରିୟା ବେଶ ଖୁସି ଅଛି ବୋଲି ଦେଖେଇବାର ଅଭିନୟ ଜାରି ରଖିଥିଲା ।

ହୋଲି ସରିଲା।ଡ୍ରେସିଂ ଟେବୁଲ ଦର୍ପଣ ଆଗରେ ହୋଇ ସମସ୍ତଙ୍କ ରଙ୍ଗ ପରସ୍ତ ଭିତରେ ତା’ ସ୍ବାମୀର ବାଧ୍ୟବାଧ୍ୟକତା ରଙ୍ଗ ଟିକକର ଆତ୍ମୀୟତା ପରଖୁ ଥିଲା ।କିନ୍ତୁ ତା ସିଂଥୀ ର ଗାଢ଼ ଲାଲ ସିନ୍ଦୁର ଗାର ଟି ବେଶୀ ଭରସା ଦେଉଥିଲା, ଦିନେ ନା ଦିନେ ସେ ସ୍ୱାମୀର ହୃଦୟ ଜିତିଯିବ ବୋଲି।

©ସତ୍ୟ ସୁନ୍ଦର

ଅନୁଗୋଳ

Leave a Reply

Your email address will not be published. Required fields are marked *