ଓଦା ବାଲିର

|| ଓଦା ବାଲିର ||

ଆସ ମ କାହିଁକି
ରହୁଛ ଦୂରେଇ
ସମୟ ଯାଉଛି ଗଡ଼ି
ସମୟ ସହିତ
ବୁଢ଼ା ମୁଁ ହେଉଛି
ତୁମେ ବି ହେଉଛ ବୁଢ଼ୀ

ବୟସ ରହିଛି
ସମୟ ବି ଅଛି
ତୁମରି ଅପେକ୍ଷା ଖାଲି
ତୁମେ ପହଞ୍ଚିଲେ
ସାଥୀ ହୋଇଯିବା
ସାଗରକୂଳକୁ ବୁଲି

ସାଗରକୂଳରେ
ଭାଙ୍ଗିବା ଲହରୀ
ଧରାଧରି ହୋଇ ହାତ
ତୁମେ ଗାଉଥିବ
ମୁଁ ବି ଗାଉଥିବି
ଦୁହେଁ ମିଶି ଗୋଟେ ଗୀତ

ଲହରୀ ଭାଙ୍ଗିବା
ସାଗର ଜଳରେ
ଓଦା ସରସର ହୋଇ
ତୁମେ ଦେଖୁଥିବ
ମୋ ଦେହକୁ ଆଉ
ମୁଁ ଥିବି ତୁମକୁ ଚାହିଁ

ତୁମେ ଲେଖୁଥିବ
ମୋ ନାଆଁକୁ ଆଉ
ମୁଁ ଲେଖୁଥିବି ତୁମର
ଲହରୀ ତାହାର
ଚାଟି ନେଉଥିବ
ନାଁ ଦୁଇ ଓଦା ବାଲିର

କାହିଁକି ଯେ ପୁଣି
ଭାବୁଅଛ ଏତେ
ଆସ ସବୁକିଛି ଛାଡ଼ି
ସମୟ ସହିତ
ନ ଚାଲିଲେ ପରେ
ଭାବିବ ହୋଇକି ବୁଢ଼ୀ

ସୁଧିରେନ୍ଦ୍ର ପରିଜା
ଅନୁଗୋଳ
୯୪୩୭୧୭୨୨୧୨

Leave a Reply

Your email address will not be published. Required fields are marked *