ପୁରୀ: ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହର ହେଲା ପୁରୀ। ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ। ରାଜ୍ୟ ସରକାରଙ୍କ ୫-T ଯୋଜନା ଅଧୀନରେ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର କାର୍ଯ୍ୟାରମ୍ଭ ହେଉଛି। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।

ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି। ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି। ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ। ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ। ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ସାରା ଓଡ଼ିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି | ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାର୍ଥକ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।