ଡ୍ରଗ୍ସ ମାମଲାରେ ଗିରଫ ଆର୍‌ୟନ୍‌ ଖାନ ଅକ୍ଟୋବର ୭ପର୍ଯ୍ୟନ୍ତ ଏନ୍‌ସିବି ହେପାଜତକୁ ଗଲେ

ମୁମ୍ବାଇ: ଦ୍ୱାରା ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ ମାମଲାରେ ଗିରଫ ହୋଇଥିବା ଆର୍‌ୟନ୍‌ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ‘ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା ଦାବି କରି ଅଧିକ ସୂଚନା ପାଇଁ ତାଙ୍କୁ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ଆଜି ଏହାର ଶୁଣାଣି କରି ଅଦାଲତ ଅକ୍ଟୋବର ୧୧ ପରିବର୍ତ୍ତେ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍‌ୟନ୍‌ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ। ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍‌ୟନ୍‌ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି।

ଅଦାଲତରେ ଶୁଣାଣି ସମୟରେ ଆର୍‌ୟନ୍‌ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଥିଲେ ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆର୍‌ୟନଙ୍କ ହ୍ବାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, “ଏନ୍‌ସିବି ଖାନଙ୍କ ବିରୋଧରେ ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍‌ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍‌ୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ। ଅନ୍ୟପକ୍ଷ‌ରେ ଆର୍‌ୟନ୍‌ ଅଦାଲତକୁ କହିଥିଲେ ଯେ, ମୁଁ ଏନସିବି ଅଫିସରଙ୍କ ଦେଖି ଖସିଯିବାକୁ ଚେଷ୍ଟା କରିନଥିଲି। ତାଙ୍କୁ ଯାଞ୍ଚରେ ସହଯୋଗ କରିବା ସହ ଭଲ ବ୍ୟବହାର କରିଥିଲି। ସେଥିପାଇଁ ମୋତେ ସେମାନଙ୍କ ହେପାଜତକୁ ପଠାଯିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *