ବ୍ରହ୍ମଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ୧ ହଜାର ୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲ୍ଲା ପାଇଁ ୩ ଲକ୍ଷ ୬୪ ହଜାର ହଜାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ବ୍ରହ୍ମଗିରି ଠାରେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ମାଲକାନଗିର, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲାର ଜନସାଧାରଣ ଆମର ବିକାଶ କାର୍ଯ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଛନ୍ତି। ସେଥିପାଇ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପୁରୀ ଜିଲ୍ଲାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ଫ୍ଲାଗ୍ସିପ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ ପବିତ୍ରଧାମ ପୁରୀର ବିକାଶ ହେଉଛି ଆମର ପବିତ୍ର ଦାୟିତ୍ବ । ପିଇବା ପାଣି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ପୁରୀର ଜନସାଧାରଣ ଟ୍ୟାପ୍ରୁ ସିଧାସଳଖ ଫିଲଟର ମାନର ପାଣି ପାଇପାରୁଛନ୍ତି। ଏଭଳି ସୁବିଧା ପାଇବାରେ ପୁରୀ ହେଉଛି ସାରା ଦେଶରେ ପ୍ରଥମ ଏବଂ ପୁରୀବାସୀ ଲଣ୍ଡନ, ନିଉୟର୍କ ଭଳି ସହରର ଲୋକଙ୍କ ଭଳି ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ ।
ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।
ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।