ବେଙ୍ଗାଲୁରୁ ଟେଷ୍ଟ୍ :ଟିମ ଇଣ୍ଡିଆ ୨୫୨ ରନରେ ଅଲଆଉଟ୍, ୬ଟି ଓ୍ବିକେଟ ହରାଇଲା ଶ୍ରୀଲଙ୍କା।

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ଦିବାରାତ୍ର ୨ୟ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନରେ ଅଲଆଉଟ୍ ହୋଇଯାଇଛି ।ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲେ ବି ଶ୍ରେୟସ ଆୟରଙ୍କ ଲଢୁଆ ୯୨ ରନ ବଳରେ ଏକ ସମ୍ମାନଜନକ ସ୍କୋର କରିପାରିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ସର୍ବଶେଷ ସୂଚନା ଅନୁସାରେ ଦଳ ମାତ୍ର ୮୬ ରନରେ ୬ ଟି ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଶସ୍ତାରେ ପାଭିଲିୟନ ଫେରିଯାଇଥିଲେ । ରୋହିତ ୧୫ ରନ ଓ ମୟଙ୍କ ୪ ରନ କରି ଆଉଟ୍ ହୋଇଥିଲେ । ତେବେ ଏମାନଙ୍କ ପରେ ଆସିଥିବା ହନୁମା ବିହାରି ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।

ବିହାରି ୩୧ ରନ ଓ କୋହଲି ୨୩ ରନ କରି ଆଉଟ ହୋଇଥିଲେ ।ତେବେ ଋଷଭ ପନ୍ତ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ପନ୍ତ୍ ୩୯ ରନ କରି ଏମ୍ବୁଲଡେନିଆଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବୀନ ଓ ଅକ୍ଷର ପଟେଲ ବିଶେଷ ଯୋଗଦାନ ଦେଇପାରିନଥିଲେ ।  ତେବେ ଆୟର ନିଜର ବ୍ୟାଟିଂ ଜାରି ରଖି ୯୨ ରନ କରି ଜୟବିକ୍ରମଙ୍କ ବଲରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିଆ ଓ ଜୟବିକ୍ରମ ୩ଟି ଲେଖାଏଁ ଓ ଧନଞ୍ଜୟ ଡିସିଲଭା ୨ଟି ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *