ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ହେଲା ଜୀବନର ସେଷ ସଭା : ବକ୍ତବ୍ୟ ଦେବା ବେଳେ ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ

ଅନୁଗୋଳ : ଚାକିରି ଜୀବନର ଅଳ୍ପ ଦିନ ବାକିଥିବା ବେଳେ ଆଉ କିଛି ଦିନ ପରେ ନେଇ ଥାନ୍ତେ ଅବସର । ଅବସର ସମୟ ରେ ସ୍କୁଲ ଛୁଟି ପଡୁଥିବାରୁ ଆଗୁଆ କରାଯାଇଥିଲା ଅବସର ସମ୍ବର୍ଦ୍ଧନା ଉତ୍ସବ। ହେଲେ ଏହି ବିଦାୟକାଳୀନ ଉତ୍ସବ ଯେ ତାଙ୍କ ଜୀବନର ଶେଷ ଉତ୍ସବ ହେବ କାହାକୁ ଜଣା ନଥିଲା । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବକ୍ତବ୍ୟ ଦେଉଥିବା ସମୟରେ ଟଳି ପଡ଼ିଥିଲେ ପ୍ରଧାନ ଶିକ୍ଷକ। ଅନୁଗୋଳ ବ୍ଲକ୍‌ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଘଟଣା ।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ତଗିଲ ଗାଁର ରବିନାରାୟଣ ପାଣିଗ୍ରାହୀ ଏହି ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଥିଲେ। ଆସନ୍ତା ୩୦ ତାରିଖରେ ସେ ଅବସର ନେଇଥାନ୍ତେ। ଆଗକୁ ଦଶହରା ଛୁଟି ପଡ଼ୁଥିବାରୁ ଶନିବାର ଦିନ ସ୍କୁଲ୍‌ ପରିସରରେ ତାଙ୍କୁ ଆଗୁଆ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏହି ସଭାରେ ସେ ବକ୍ତବ୍ୟ ଦେବାବେଳେ ସେ ହଠାତ ଅସୁସ୍ଥ ହୋଇ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *