ସ୍ଵର ବ୍ୟୁରୋ: ଢେଙ୍କନାଳ ଜିଲ୍ଲା ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଯୋରନ୍ଦା ମହିମାଗାଦି ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସେଠାରେ କୌପୀନଧାରୀ ମହିମା ସମାଜ ଏବଂ ବକ୍କଳଧାରୀ ମହିମା ସମାଜର ସାଧୁ ସନ୍ଥ ମାନଙ୍କ ସହ ପୁରାତନ ମନ୍ଦିର ଭଙ୍ଗାଯିବା କାରଣରୁ ଉତ୍ପନ୍ନ ହୋଇଥିବା ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।




ଉଭୟ ସମାଜର ସାଧୁ ସନ୍ଥ ମାନଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିମା ସ୍ୱାମୀଙ୍କର ବାର୍ତ୍ତା, ସନ୍ଥ କବି ଭୀମ ଭୋଇଙ୍କ ପ୍ରଚାର ଯୋଗୁଁ ବିଶେଷ ଭାବରେ ଗରିବ ଶ୍ରେଣୀ, ବଞ୍ଚିତ ବର୍ଗର ଲୋକମାନେ ଏହି ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି । ମହିମା ଗୋସାଇଁ, ସନ୍ଥକବି ଭୀମ ଭୋଇଙ୍କର ଉକ୍ତି ବିଶ୍ୱରେ ପ୍ରଭାବ ପକାଇଛି । ମହିମାଗାଦିର ଅମୂଲ୍ୟ ସମ୍ପତ୍ତିକୁ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ।


ଏହାପରେ କେନ୍ଦ୍ର ମନ୍ତ୍ରୀ ଯୋରନ୍ଦା ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଏକ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜଣେ ଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ମା’ ସରସ୍ୱତୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ଏକ ଥ୍ରୀଡି ପ୍ରିଣ୍ଟିଂର ମୂର୍ତ୍ତି ଉପହାର ଭାବରେ ପ୍ରଦାନ କରିଥିଲେ । ସେହି ଥ୍ରୀଡି ପ୍ରିଣ୍ଟିଂ ମୂର୍ତ୍ତିକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଥିଲେ, ଆମର ପିଲାମାନଙ୍କୁ ସୁଯୋଗ ମିଳିଲେ ସମସ୍ତେ ବହୁତ ଭଲ କାମ କରିପାରିବେ । ସେହିଭଳି ପିଲା ମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଏହା ଆମ ସମସ୍ତଙ୍କର ଦାୟିତ୍ୱ ।


ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବା ଉପଲକ୍ଷେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ଉଦଘାଟିତ ଅଟଳ ଟିଙ୍କରିଂ ଲ୍ୟାବ୍ ଉପରେ ସେ କହିଥିଲେ ଯେ ଅଟଳ ଟିଙ୍କରିଂ ଲ୍ୟାବ୍ ନୂଆପିଢ଼ିର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ହୋଇଛି । ପିଲାଙ୍କ ମନରେ ଥିବା ପ୍ରତିଭା ଓ ସର୍ଜନଶୀଳତାକୁ ପ୍ରସ୍ଫୁଟିତ କରିବା ଏହି ଲ୍ୟାବର ଉଦ୍ଦେଶ୍ୟ । ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଏହି ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ଉଜ୍ଜିବୀତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।


