ଅନୁଗୋଳ : ବର୍ଷ ୨୦୨୫-୨୬ ପାଇଁ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ଜ଼ୀଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୋଳ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଶାକର୍ମୀ ଓ ଅଙ୍ଗନବାଡ଼ି ଙ୍କ ଦ୍ଵାରା ବିଭିନ୍ନ ଯୋଜନା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସେମାନଙ୍କର ଉଦ୍ୟମ ପ୍ରଶଂସନୀୟ ଓ ଖରା,ବର୍ଷା ,ଶୀତରେ ମଧ୍ୟ ଆଶା ଦିଦିଙ୍କ ସେବା ମନୋଭାବ ଯୋଗୁଁ ସୁରକ୍ଷିତ ମାତୃତ୍ବ କାର୍ଯ୍ୟକ୍ରମ ସଫଳତା ପାଇଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଓ ଅନୁଗୋଳ ପୌର ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ ଆଶାକର୍ମୀ,ଅଙ୍ଗନବାଡି କର୍ମୀ ମାନେ ଯଥାର୍ଥରେ ସମାଜକୁ ଆଶାର କିରଣ ପ୍ରଦାନ କରିବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।କନ୍ୟାଭୃଣ ହତ୍ୟା ଭଳି ଘୁଣ୍ୟ କାର୍ଯ୍ୟ ବନ୍ଦ ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମଦନମୋହନ ପ୍ରଧାନ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀର ଉଦ୍ଦେଶ୍ୟ ଓ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ତୃଣମୂଳ ସ୍ତରରେ ବହୁମୂଲ୍ୟ ସେବା କରିଥିବା ଜଣ ୧୭ ଆଶାକର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା। ୮ଟି ଗାଁ କଲ୍ୟାଣ ସମିତି, ୮ଟି ଜନ ଆରୋଗ୍ୟ ସମିତି, ସହରାଞ୍ଚଳର ୨୨ ଟି ମହିଳା ଆରୋଗ୍ୟ ସମିତି ସହ ଗୁଣବତ୍ତା ମାନଙ୍କ ଆକଲନରେ କୃତିତ୍ୱ ପାଇଥିବା ବିଭିନ୍ନ ବ୍ଲକର ୪୦ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ପୁରସ୍କୃତ କରା ଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର ,ଜ଼ୀଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶଙ୍କର୍ଷଣ ଗାଆଁଣ,ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳିକା ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ସୌମ୍ୟା ରାଣୀ ଗୌଡ଼ ଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା ଧର୍ମୀ କ୍ଷୁଦ୍ର ନାଟକଟିଏ ପରିବେଷଣ କରାଯାଇଥିଲା ।ଜିଲ୍ଲା ଆଶା ପରିଚାଳିକା ଶ୍ରୀମତୀ ବିକାଶିନୀ ପରିଡା କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ କୁଇଜ କାର୍ଯ୍ୟକ୍ରମ ସହ ପ୍ରଦର୍ଶନୀ ମଣ୍ଡପ ମାନ ଖୋଲାଯାଇଥିଲା। ଆଶାକର୍ମୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଶହୀଦ ଦିବସ ପାୟ ଦେଶର ଶହୀଦ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜାତୀୟ କୁଷ୍ଠ ଦିବସ ଅବସରରେ କୁଷ୍ଠ ମୁକ୍ତ ସମାଜ ଓ ଆମ ଦାଇତ୍ୱ ଉପରେ ଶପଥ ପାଠ କରାଯାଇଥିଲା ।ଶେଷରେ ଜନସଂଚାର ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତିର କର୍ମକର୍ତା,ବିଭିନ୍ନ ସି.ଏଚ୍.ସି.ର ମେଡିକାଲ୍ ଅଫିସର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।


