ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ରେ ଏବେ କରୋନା ପୁଣି ଉପର ମୁହାଁ ହେବାରେ ଲାଗିଛି। ରାଜ୍ୟ ସରକାର ଦେଇଥିବା ଆଜି କୋରନା ଆକ୍ରାନ୍ତ ତଥ୍ୟ ରେ ଅନୁଗୋଳ ଜିଲ୍ଲାରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲୋକଙ୍କ ସଚେତନତା ଅଭାବ ଯୋଗୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଗତ କିଛି ଦିନ ହେଲା ଦୈନିକ ଜିଲ୍ଲାରୁ ୨୫ରୁ ୩୦ଜଣ ସଂକ୍ରମଣ ହେଉଥିବା ବେଳେ ଆଜି ତାହା ୫୦ ପାଖାପାଖି ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି। ଗତ କାଲି ଠାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ସମସ୍ତ ଦୋକାନ, ସପିଙ୍ଗ ମଲ ଓ ଅନ୍ୟାନ୍ୟ ସ୍ଥାନରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜ ବାଧ୍ୟତା ମୂଳକ କରାଯାଇଛି।

ଅନୁଗୋଳ ଏସପି ଜଗମୋହନ ମିନା ଓ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଙ୍କ ସମେତ ତହସିଲଦାର, ପୌରପରିସଦ ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହ ଅନୁଗୋଳ ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ। ଗୋଟି ଗୋଟି କରି ଛୋଟ ମୋଟ ଦୋକାନ ଓ ସପିଙ୍ଗ ମଲ ଯାଞ୍ଚ କରିଥିଲେ। ଛକ ଜାଗା ମାନଙ୍କରେ ରହି ଲୋକଙ୍କୁ କଟକଣା ମାନିବାକୁ ତାଗିଦ କରିଥିଲେ। ଯେଉଁମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରା ଯାଇଥିଲା। ଯେଉଁ ଦୋକାନୀ ମାନେ ନିୟମ ଖିଲାପ କରିଥିଲେ ସେଗୁଡିକୁ ସିଲ କରା ଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଚାଲୁ ରହିବ। ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଏମିତି କଡାକଡି କରାଯିବ। ଜିଲ୍ଲାରେ ଦିନକୁ ଦିନ କରୋନା ବ୍ୟାପୁଥିବାରୁ ଏଭଳି କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଲୋକେ ମଧ୍ୟ କଟକଣା ମାନିବ ସହ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।