ନୂଆଦିଲ୍ଲୀ: ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍ (ଟୁ-ଡିଜି)’ ପ୍ରଥମେ ପତଞ୍ଜଳି ଗବେଷକମାନଙ୍କଦ୍ବାରା ଅଧ୍ୟୟନ କରାଯାଇଥିବା କଥା ରବିବାର ଦିନ ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି।

ସାମାନ୍ୟରୁ ସଙ୍କଟାପନ୍ନ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଉପରୋକ୍ତ ଔଷଧକୁ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ ଅନୁମୋଦନ କରିବାର ଦିନକ ପରେ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, କୋଭିଡ୍-୧୯ ପାଇଁ କରାଯାଉଥିବା ଅଧିକାଂଶ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭିକ କେନ୍ଦ୍ର ହୋଇଥିବାରୁ ଆମ୍ଭେ ଅତ୍ୟନ୍ତ ଆନନ୍ଦିତ।
‘ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ଏବଂ ‘ହରିଦ୍ବାର ପତଞ୍ଜଳି ଯୋଗପୀଠ’ର ସହ-ସଂସ୍ଥାପକ ଆଚାର୍ଯ୍ୟ ବାଳକୃଷ୍ଣ ଅନ୍ୟ ତିନିଜଣ ଗବେଷକଙ୍କ ସହ ମିଶି ଲେଖିଥିବା ଉକ୍ତ ଗବେଷଣା ପତ୍ରର ଫଟୋ ମଧ୍ୟ ସେୟାର୍ କରିଛନ୍ତି।ଯୋଗ ଗୁରୁ ରାମଦେବ ମଧ୍ୟ କହିଛନ୍ତି, କୋଭିଡ୍-୧୯ ବିଷୟକ ସମସ୍ତ ଗବେଷଣାରେ ପତଞ୍ଜଳି ପ୍ରାରମ୍ଭ ହେଉଥିବାରୁ ଗୌରବାନ୍ବିତ ମନେକରୁଛି।
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ‘ଡକ୍ଟର୍ ରେଡିସ୍ ଲାବ୍ରୋଟେରି’ର ସହଯୋଗରେ ‘ଡିଆର୍ଡିଓ’ର ଲାବ୍ରୋଟେରି ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର୍ ମେଡିସିନ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍’ କୋଭିଡ୍-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍ (ଟୁ-ଡିଜି)’ ପ୍ରସ୍ତୁତ କରିଛି।