ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତିକୁ ନେଇ ଆଜି ସବୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମୃତ୍ୟୁ ନିୟନ୍ତ୍ରଣ ଉପରେ ଅଧିକ ଫୋକସ ଦିଆଯିବା ସହ କୋଭିଡରେ ଯେଉଁମାନେ ଅନାଥ ଓ ବିଧବା ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ବ୍ଲାକ୍ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ।